ମୁମ୍ବାଇ, (ବାଘୁଆବାର୍ତ୍ତା): ସଦାସର୍ବଦା ଚର୍ଚ୍ଚାରେ ରହି ଆସିଥିବା ପଙ୍ଗା କୁଇନ କଙ୍ଗନା ରଣାୱତ ନୁଆ ଖୁଲାସା କରିଛନ୍ତି । ସେ ସଦାସର୍ବଦା ସୋଶିଲ ମିଡିଆରେ ବେଶ୍ ଆକ୍ଟିଭ। ଅଭିନୟ ବ୍ୟତୀତ ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ସେ ନିଜ ମତ ରଖନ୍ତି। ଯାହାକୁ ନେଇ ଅଧିକାଂଶ ସମୟରେ ବିବାଦ ଉପୁଜେ। ଏବେ ପୁଣି ଏଭଳି ହିଁ କିଛି ପ୍ରସଙ୍ଗକୁ ନେଇ ଆଉ ଏକ ବିବାଦ ଉଠାଇଛନ୍ତି ଏହି ଅଭିନେତ୍ରୀ। ନିକଟରେ କଙ୍ଗନା ରଣାୱତ ଦେଶର ନାଁ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ‘ଇଣ୍ଡିଆ’ର ନାଁକୁ ବଦଳାଇ ଭାରତ ରଖାଯାଉ ବୋଲି କଙ୍ଗନା ଇଚ୍ଛା ପ୍ରକଟ କରିଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ନାଁକୁ ବ୍ରିଟିଶମାନେ ରଖିଥିଲେ ଏବଂ ଏହା ଗୋଲାମିର ପରିଚୟ।’ ଏହି ପ୍ରସଙ୍ଗକୁ ନେଇ କଙ୍ଗନା ନିଜ ଇନ୍ଷ୍ଟାଗ୍ରାମରେ ଏକ ଷ୍ଟୋରୀ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଭାରତ ଏବଂ ଇଣ୍ଡିଆ ମଧ୍ୟରେ କ’ଣ ଫରକ୍ ରହିଛି ତାହା କହିଛନ୍ତି। ଭାରତର ପରିଭାଷାକୁ ନେଇ କଙ୍ଗନା କହିଛନ୍ତି, ଏହା ଏକ ସଂସ୍କୃତ ଶବ୍ଦ। ଭ’ରୁ ଭାବ, ର’ରୁ ରାଗ ଏବଂ ତ’ରୁ ତାଳ। ଇଣ୍ଡିଆକୁ ନେଇ ସେ କହିଛନ୍ତି, ଭାରତ ସେତେବେଳେ ଆଗକୁ ବଢ଼ି ପାରିବ ଯେବେ ନିଜ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିରେ ବିଶ୍ୱାସ କରି ସେହି ରାସ୍ତାରେ ଆଗକୁ ଯି଼ବ। ଏଥିସହ କଙ୍ଗନା ସମସ୍ତଙ୍କୁ ବେଦ, ଗୀତା ଏବଂ ଯୋଗ ସହ ଜଡିତ ରହିବା ପାଇଁ ଅପିଲ ମଧ୍ୟ କରିଛନ୍ତି।






