ନୟାଗଡ଼,(ବାଘୁଆବାର୍ତ୍ତା): ଦିନ ମଜୁରୀଆ ଭାବେ ଖଟି ଖଟି ଯେଉଁ ଅର୍ଥ ଉପାର୍ଜନ କରିଥିଲେ, ସେହି ଅର୍ଥ ଦାନ କରି ଉକ୍ତ ଅଞ୍ଚଳରେ ମହାନତାର ପରିଚୟ ସୃଷ୍ଟି କରିଛନ୍ତି ଜଣେ ବାସହୀନ ମହିଳା । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମର ବାସହୀନ ମହିଳା କମଳା ମୁଦୁଲି(୫୫) ମୁଲ ମଜୁରୀ ଲାଗି ଗୁଜୁରାଣ ମେଣ୍ଟାଇଥାନ୍ତି । ସେଥିରୁ ଯାହା କିଛି ସଂଚୟ କରିଥିଲେ ଆଜି ସେହି ଅର୍ଥକୁ ନେଇ ପଡୋଶୀ ଗ୍ରାମରେ ନିର୍ମାଣଧିନ ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିରକୁ ଦାନ କରିଛନ୍ତି । ମନ୍ଦିର ନିର୍ମାଣ ପାଇଁ ମନ୍ଦିର କମିଟିକୁ ୫୦ହଜାର ଅର୍ଥ ରାଶି ଦାନ କରିଛନ୍ତି । ବାସହୀନ ମହିଳାଙ୍କ ମନ୍ଦିର ପ୍ରତି ଥିବା ଏଭଳି ଅବଦାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ପ୍ରଶଂସା କରାଯାଇଛି । ମହିଳାଙ୍କ ସ୍ୱାମୀ ଓ ପୁଅ ଥିଲେ ମଧ୍ୟ ମହିଳାଙ୍କୁ ପର କରିଦେଇ ବାହାରେ ରହୁଥିବା ବେଳେ ମହିଳା ଜଣକ ଗାଁରେ ଏକାକି ଜୀବନ କାଟୁଛନ୍ତି । ପ୍ରତିଦିନ ମୂଲ ଲାଗନ୍ତି ଯାହା ପାରିଶ୍ରମିକ ମିଳେ ସେଥିରେ ନିଜ ପାଇଁ କିଛି ଅର୍ଥ ଖର୍ଚ୍ଚ କରି ଆଉ ସବୁ ଟଙ୍କା ସଂଚୟ କରି ରଖିଥିଲେ ।






