ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଉତ୍କଳ ଦିବସରେ ନୂଆ ଆର୍ଥିକ ବର୍ଷର କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷିଙ୍କ କଲ୍ୟାଣ କାର୍ଯ୍ୟରୁ ଆରମ୍ଭ କଲେ ନୂଆ ଆର୍ଥିକ ବର୍ଷର କାର୍ଯ୍ୟ । ଚାଷି ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସରେ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟର ୩୪ଲକ୍ଷରୁ ଉର୍ଦ୍ଧ ଚାଷିଙ୍କ ଖାତାକୁ ‘କାଳିଆ’ ଟଙ୍କା ପଠାଇଥିବା ବକ୍ତବ୍ୟ ରଖିଛନ୍ତି । ଚାଷିଙ୍କ ପାଇଁ ଆମ ସରାକର କାର୍ଯ୍ୟ କରୁଛି । ଚାଷିଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ଦେଢ ଗୁଣା ଏମଏସପି କାହାର ଦୟା ନୁହେଁ । ଏହା ଆମ ଚାଷି ଭାଇ ଭଉଣୀମାନଙ୍କର ହକ୍ । ଓଡ଼ିଶାର ଚାଷି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୋଭିଡ-୧୯ ସମୟରେ ଚାଷି ଭାଇ ଆମ ଅର୍ଥନୀତିକୁ ରକ୍ଷା କରିଛନ୍ତି । ଚାଷିଙ୍କ ସ୍ୱାର୍ଥ ଓ ହକ ପାଇଁ ରାଜ୍ୟ ସରକାର କାମ କରୁଛି । ତେଣୁ ଆମ ଚାଷି ଭାଇ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗର୍ବିତ ବୋଲି କହିଛନ୍ତି । ସେହିପରି ଓଡ଼ିଶା ଚାଷି ଭାଇଙ୍କ ପାଇଁ ସ୍ୱାମୀନାଥନ୍ କମିଟି ସୁପାରିଶ୍ ଲାଗୁ କରିବା ପାଇଁ ରାଜ୍ୟ ସରକାର ଦାବି ରହିବ । କୃଷି କର୍ମଣ ପୁରଷ୍କାର ପାଇଁ ଓଡ଼ିଶା ଆଜି ଗର୍ବିତ ମନେ କରୁଛି । ଚାଷିର ତ୍ୟାଗ ଓ ସ୍ୱାଭିମାନ ଓଡ଼ିଶାର ସ୍ୱାଭିମାନ ବଢାଇଛି । ଚାଷିର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ । ମାଟି ମା ପାଇଁ ଚାଷିର ତ୍ୟାଗ ଅମୂଲ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବକ୍ତବ୍ୟରେ ବର୍ଣ୍ଣନା କରିଛନ୍ତି । ପବିତ୍ର ଉତ୍କଳ ଦିବସରେ ରାଜ୍ୟର ୩୪ଲକ୍ଷରୁ ଉର୍ଦ୍ଧ ଚାଷିଙ୍କ ଖାତାକୁ ‘କାଳିଆ’ ଟଙ୍କା ପଠାଯାଇଛି । ସର୍ବମୋଟ ୬୯୩.୯୪କୋଟି ଟଙ୍କା ପଠାଯାଇଥିବା ବେଳେ ପିପିଲି-ଡେଲାଙ୍ଗ ଉପ ନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷି ଭାଇମାନଙ୍କୁ ଛାଡ଼ି ଅନ୍ୟ ଅଞ୍ଚଳର ଚାଷିଙ୍କ ଖାତାକୁ ‘କାଳିଆ’ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ରବି ଋତୁ ପାଇଁ ମଧ୍ୟ ରାଜ୍ୟ ସରକାର ‘କାଳିଆ’ ଟଙ୍କା ଜମା କରିଥିବା ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ‘କାଳିଆ’ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷିଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ୫-ଟି ସଚିବ ଭି କାର୍ତ୍ତିକେୟାନ ପାଣ୍ଡିୟାନ୍ ସଂଯୋଜନା କରିଥିଲେ । ମୁଖ୍ୟ ଶାସନ ସଚିବ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ






