ଶରଣକୁଳ, (ବାଘୁଆବାର୍ତ୍ତା): ସଦାନନ୍ଦ ସାହିତ୍ୟ ପରିଷଦ ଶରଣକୁଳ ପକ୍ଷରୁ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୭ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ଭିକାରୀପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି।ଏହି ଅବସରରେ ଏକ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରକୁ ନୟାଗଡ ଗୌରବ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିବା ବେଳେ ବରିଷ୍ଠ କବି ଓ ସାହିତ୍ୟ ଗବେଷକ ବିରଞ୍ଚି ନାରାୟଣ ତ୍ରିପାଠୀ ମୁଖ୍ୟବକ୍ତା,ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଓଡିଶା ରାଜ୍ୟ ପାଲା ଗାୟକ ସଙ୍ଘ ସଂଗଠନ ସମ୍ପାଦକ ଗାୟକ କଳାନିଧି ମନୋଜ କୁମାର ମିଶ୍ର ,କବି ଅଧ୍ୟାପିକା ପ୍ରିୟମ୍ବଦା ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଦାନନ୍ଦଙ୍କ ବାଲ୍ୟ ଜୀବନ ଓ କାବ୍ୟ କୃତି ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ତଥା ଗୀତିକାର କୈଳାଶ ଚନ୍ଦ୍ର ରଥଙ୍କୁ ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ସମ୍ମାନ ,ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଶ୍ରାବଣ କୁମାର ସାହୁଙ୍କୁ”କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଚିତ୍ରକଳା ସମ୍ମାନ “, ବ୍ୟଙ୍ଗକବି ତଥା ଦୂରଦର୍ଶନ ଓ ଚଳଚିତ୍ର ଅଭିନେତା ରବୀନ୍ଦ୍ର ରାଉତଙ୍କୁ “କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବ୍ୟଙ୍ଗ ସାହିତ୍ୟ ସମ୍ମାନ “, ବିଶିଷ୍ଟ ସଂକୀର୍ତନ ଗାୟକ ରବୀନ୍ଦ୍ର ଦୋରାଙ୍କୁ “କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ପ୍ରତିଭା ସମ୍ମାନ”, କବି, ଗାଳ୍ପିକ ଓ ଅଭିନେତା ଦେବେନ୍ଦ୍ର ପରାମଗୁରୁଙ୍କୁ “କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ନାଟ୍ୟ ସମ୍ମାନ “, ଶିଶୁକବି ନଳିନୀ ଦାଶଙ୍କୁ “କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଶିଶୁ ସାହିତ୍ୟ ସମ୍ମାନ “, ଗ୍ରୀନ କ୍ଲବ ହରିହରପୁରକୁ “କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସେବା ସମ୍ମାନ ” ପ୍ରଦାନ କରା ଯାଇଥିଲା । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ନିଳିମା ନନ୍ଦ ଓ ନୀଳମାଧବ ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କବି ସ୍ଵରଚିତ କବିତା ପାଠ କରିଥିଲେ । ପରିଚାଳନା କମିଟି ସଦସ୍ୟ ଗୋଦାବରୀ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।





