ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ଆନୁକୁଲ୍ୟରେ ଦୁଇ ଦିନିଆ ୭ମ ତମ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେ.ସି.କ୍ଲବ ବିଜୟ ଲାଭ କରି ୫ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି । ସୁଚନାନୁସାରେ ନୟାଗଡ଼ କେ.ସି.କ୍ଲବ ପରିସରରେ ବିଗତ ଦୁଇ ଦିନ ଧରି ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ଖଣ୍ଡପଡ଼ା, ଭାପୁର, ବାଇଗୁଣିଆ, ଗଡ଼ବାଣିକିଲୋ, ମାଣିକାଗୋଡ଼ା, ବେଗୁନିଆ ଓ କେ.ସି.କ୍ଲବ ସମେତ ୭ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଘାଟନି ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ମିଶ୍ର, ରମାକାନ୍ତ ମିଶ୍ର ଓ ଅଧ୍ୟାପକ ଏସ.କେ.ଇସୁବ ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗତ କାଲି ବିଳମ୍ବିତ ରାତ୍ରିରେ କେ.ସି.କ୍ଲବ ବନାମ ଗଡ଼ବାଣିକିଲୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ନୟାଗଡ଼ କେ.ସି.କ୍ଲବ ବିଜୟ ଲାଭ କରି ୫ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ । ସେହିପରି ଭାବେ ରନର୍ସଅପ ଭାବେ ଗଡ଼ବାଣିକିଲୋ ୩ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ନୟାଗଡ଼ ଟାଉନ ଥାନା ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ ଯୋଗ ଦେଇ ଉଭୟ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ରେଫରି ଭାବେ ଉମାକାନ୍ତ ମିଶ୍ର, ବିରଞ୍ଚିନାରାୟଣ ବେହେରା, ପ୍ରମୋଦ ବାରିକ, ସନ୍ୟାସି ପ୍ରଧାନ ଓ ରାଜୀବ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟର ବେଷ୍ଟ ଖେଳାଳି ଭାବେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ମନୋନୀତ କରାଯାଇଥିଲା । ମୁଖ୍ୟ ଅତିଥି ସୌମ୍ୟରଞ୍ଜନଙ୍କୁ ୫୦୦ ଟଙ୍କା ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଭାଗିରଥି ଦାସ, ସଂପାଦକ ସଂଗ୍ରାମ ଗୁମାନସିଂଙ୍କ ସମେତ କ୍ଲବର ବହୁ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।







