ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ର ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇବ । ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଘଟିଥିବା ଏହି ଘଟଣା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନେକ ରାଜନୈତିକ ତୁମ୍ବି ତୋଫାନ ଘଟଣା ବିଗତ ଦିନରେ ଦେଖିବାକୁ ମିଳିଥିଲା । ନୟାଗଡ ସ୍ଵତନ୍ତ୍ର ଚିଲଡ୍ରେନ୍ କୋର୍ଟରେ ଏହି ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏହି ମାମଲାରେ ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ କିଛି ସମୟ ପରେ ହାଜର କରାଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛି । ନୟାଗଡ ସଦର ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅର୍ଗତ ଯଦୁପୁର ଗାଁର ୬ ବର୍ଷର ନାବାଳିକା ଝିଅ ଜୁଲାଇ ୧୪ ତାରିଖ ୨୦୨୦ ଦିନ ଘର ଆଗରେ ଖେଳୁଥିବା ସମୟରେ ହଠାତ୍ କେଉଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇବାପରେ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ୱାର୍ଡ ଆଣି ଖୋଳତାଡ କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । ପରେ ସେହିମାସ ୨୩ ତାରିଖ ଦିନ ତାଙ୍କ ଘର ବାଡିପଟ ନିକଟରେ ଥିବା ଗାଡିଆ ନିକଟରୁ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ପୂର୍ବ ଶତୃତା କାରଣରୁ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ନାବାଳିକାର ବାପା ଅଭିଯୋଗ କରିବା ସହ ଦୋଷୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ସେ ଦାବି କରିଥିଲେ । ହତ୍ୟାକାରୀକୁ ଧରିବା ଦାବିରେ ପରିବାର, ଗ୍ରାମବାସୀ ଏବଂ ବିଭିନ୍ନ ରାଜନୈତିକ ଦଳ କ୍ରାଇମ୍ବ୍ରାଞ୍ଚ ତଦ ଦାବି କରିଥିଲେ । ହେଲେ ନ୍ୟାୟ ନମିଳିବାରୁ ନାବାଳିକାର ବାପା ଏବଂ ମା ଉଭୟ ନଭେମ୍ବର ୨୪, ୨୦୨୦ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏହାପରେ ରାଜ୍ୟ ସରକାର ନଭେମ୍ବର ୨୫ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରେ ବିରୋଧୀଙ୍କ ଦାବି ପରେ ୨୮ ତାରିଖରେ ସରକାର ଏସ୍.ଆଇ.ଟି ତଦ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଆଇପି.ଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହାର ତଦନ୍ତ କରି ସେହି ଗାଁର ସରୋଜ ସେଠୀକୁ ଡିସେମ୍ବର ୨୦ ତାରିଖରେ ଗିରଫ କରିଥିଲା ଏସ୍.ଆଇ.ଟି । ସରୋଜକୁ ପଚରାଉଚରା ପରେ ସେ ହିଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଧରା ପଡିଯିବା ଭୟରେ ହତ୍ୟା କରିଥିବା ସ୍ଵୀକାର କରିଥିବା ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏସ୍.ଆଇଟି ଚାଇଲ୍ଡ କୋର୍ଟରେ ୧୭ ଫେବୃଆରୀ ୨୦୨୧ରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ ୮୫ ଜଣଙ୍କୁ ସାକ୍ଷୀ ରଖାଯାଇଥିଲା । ତେବେ ୩୧ଜଣଙ୍କ ସାକ୍ଷ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।





