ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ମାନଓ ରଞ୍ଜନ ରଥ । ସୁଚନାନୁସାରେ ୩ ବର୍ଷ ପୂର୍ବେ ପାଇକ ପନ୍ତିଖାରୀ ଗ୍ରାମ ଗଣଦୁଷ୍କର୍ମ ଘଟଣାର ରାୟ ଆଜି ପ୍ରକାଶ ପାଇଛି । ରଙ୍ଗଣୀପାଟଣା ପଞ୍ଚାୟତ ପାଇକ ପନ୍ତିଖାରୀ ଗାଁର ୨ ଗଣଦୁଷ୍କର୍ମ କାରୀ ବିରେନ୍ଦ୍ର ବେହେରା ଏବଂ ବାବୁ ଓରଫ ରାଜେନ୍ଦ୍ର ନାୟକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି । ଜରିମାନା ଅନାଦେୟ ୬ମାସ ଅତିରିକ୍ତ କାରାଦଣ୍ଡାଦେଶ ଭୋଗିବାକୁ ଅଦାଲତ ରାୟ ଶୁଣାଇଛନ୍ତି । ଓଡ଼ଗାଁ ଅଦାଲତରେ ବିଚାରାଧୀନ ଥିବା ଏହି ଗଣଦୁଷ୍କର୍ମ ମାମଲାରେ ୧୬ ଜଣଙ୍କ ସାକ୍ଷ ଗ୍ରହଣ ସହିତ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ଆଧାରରେ ସଙ୍ଗୃହିତ ପ୍ରମାଣ ଅନୁସାରେ ଅତିରିକ୍ତ ଜିଲ୍ଲା ଦୌରାଜଜ ମାନସ ରଞ୍ଜନ ରଥ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ଅତିରିକ୍ତ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରିଥିଲେ । ୨୦୨୦ ମସିହା ଜୁନ ମାସ ୧୭ ତାରିଖ ବିଳମ୍ବିତ ରାତି ପ୍ରାୟ ୨.୩୦ ବେଳେ ପାଇକ ପନ୍ତିଖାରୀ ଗ୍ରାମର ବୀରେନ୍ଦ୍ର ବେହେରା ଏବଂ ବାବୁ ଓରଫ ରାଜେନ୍ଦ୍ର ନାୟକ ସେହି ଗାଁର ଜଣେ ମହିଳାଙ୍କ ଘରେ ପଶି ତାଙ୍କ ପାଟି ବନ୍ଦ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଭୟଭୀତ କରି ମହିଳାଙ୍କଠାରୁ ସୁନା ରୁପା ଅଳଙ୍କାର ଛିଣ୍ଡାଇବା ସହିତ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଫେରିବା ପୂର୍ବରୁ ଏହି ଘଟଣା କାହାରିକୁ ନକହିବା ପାଇଁ ଧମକ ଦେଇ ଚାଲି ଯାଇଥିଲେ । ପିଡିତା ମହିଳା ଜଣକ ନିଜେ ଏ ସଂକ୍ରାନ୍ତରେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରିଥିଲେ । ପିଡିତା ମହିଳା ଏବଂ ଅଭିଯୁକ୍ତ ଦୁହିଁଙ୍କର ଡାକ୍ତର ମାଇନା କରାଯାଇଥିଲା । ପରୀକ୍ଷାରେ ରାଜେନ୍ଦ୍ରଙ୍କ ସଂମ୍ପୃକ୍ତି ପ୍ରମାଣିତ ହୋଇଥିଲା । ଅଦାଲତ ଉକ୍ତ ପ୍ରମାଣ ଆଧାରରେ ରାୟ ଶୁଣାଇଥିଲେ ।





