ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଅନ୍ତର୍ଗତ ଖମାରିସାହି ଗ୍ରାମର ଜଣେ ଯୁବକଙ୍କୁ ଆଜି କିଛି ମଦ ବେପାରୀ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି । ସୂଚାନୁସାରେ, ଖମାରିସାହି ଗ୍ରାମର ଗଗନ ବିହାରୀ ସ୍ୱାଇଁ ଜଣେ ମଦ ବେପାରୀ ହୋଇଥିବା ବେଳେ ଦୀର୍ଘଦିନ ହେବ ସେ ଗାଁରେ ଅରାଜକତା ଚଳାଇ ଆସୁଥିଲେ । ଏହାକୁ ନେଇ ଉକ୍ତ ଗ୍ରାମର ସଂଜୀବ ମହାନ୍ତି ବାରମ୍ବାର ବିରୋଧ କରୁଥିବା ବେଳେ ସକାଳୁ ଏହାକୁ ନେଇ ବଚସା ହୋଇଥିଲା । ସଂଜୀବ ଆଜି ମଧ୍ୟାହ୍ନ ଭୋଜନ ସାରି ଘର କାମ ପାଇଁ ଗୋଡ଼ି ବୁଝିବାକୁ ଯାଇଥିଲେ । ସେ ମଙ୍ଗରାଜପୁର ହାଟଦ୍ୱାର ହୋଇ ଗାଁକୁ ଫେରିବା ରାସ୍ତାରେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ଗଗନ ବିହାରୀ ସ୍ୱାଇଁ, ଜଟିଆ ସ୍ୱାଇଁ, ଲିଟୁ ସ୍ୱାଇଁ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗଗନଙ୍କ ମୁଣ୍ଡ, ଗୋଡ଼ ଏବଂ ହାତରେ ଗଭୀର ଚୋଟ ଲାଗିଥିବା ଜଣାଯାଇଛି । ଘଟଣାସ୍ଥଳରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ନୟାଗଡ଼ ଟାଉନଥାନା ଏସ୍ଆଇ ସ୍ମୃତି ରଂଜନ ମହାନ୍ତି, ଧର୍ମେନ୍ଦ୍ର ଶିଆଳ ଡାକ୍ତରଖାନାରେ ପହଂଚି ପୀଡ଼ିତ ବ୍ୟକ୍ତିଙ୍କ ବୟାନ ନେବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।






