କଠିନ ପରିଶ୍ରମ ପାଇଁ ଆହ୍ୱାନ ଦେଲେ ଜିଲ୍ଲାପାଳ
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କର କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ପଠାଣୀ ସାମନ୍ତ ସଂସ୍କୃତି ଭବନଠାରେ ଜିଲ୍ଲା ଯୁବ ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ରାଜ୍ୟ ସ୍ତରରେ ନୟାଗଡ଼ ସୁନାମ ଆଣିବା ପାଇଁ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ବକ୍ତବ୍ୟ ରଖିବା ସହ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପଂହଚିବା ପାଇଁ ପ୍ରତିଜ୍ଞା ବଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ । ଏହା ସହିତ କ୍ରିକେଟର କପିଲ ଦେବଙ୍କ ଉଦାହରଣ ଦେଇଥିଲେ । ସଫଳତା ପାଇଁ କେବେ ଜୀବନରେ ଥକିବ ନାହିଁ, ପରିଶ୍ରମ କରି ଚାଲିଲେ ଯାହାକୁ ଧରିବ ସୁନା ହେବ । ଦୁଇଦିନିଆ କାର୍ଯ୍ୟକ୍ରମରେ ଏକକ ପ୍ରତିଯୋଗୀତା, ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଇଲୋକ୍ୟୁସେନ୍, ହାରମୋନିୟମ, ତବଲା, ବଂଶୀ, ବୀଣା, ଗୀଟାର୍, ମୃଦଙ୍ଗ, ସୀତାର ସହିତ ଦଳଗତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତ୍ୟେକ ବିଭାଗରୁ ରାଜ୍ୟ ସ୍ତରକୁ କୃତ୍ତି ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମକୁ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସାମ୍ବାଦିକ ଉତ୍ପଳ କୁମାର ସାହୁ, ଅଧ୍ୟାପିକା ରୀନାବାଳା ଆଚାର୍ଯ୍ୟ ସଂଯୋଜନା କରିଥିଲେ ।





