ନୟାଗଡ଼,(ବାଘୁଆବାର୍ତ୍ତା): ଯୁବ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା । ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଯୁବ ସାମ୍ବାଦିକ ସ୍ୱର୍ଗତ ପ୍ରବୀର ପ୍ରଧାନଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ସୂଚନାନୁସାରେ, ବେଶ୍ ଚର୍ଚ୍ଚିତ ଚେହେରା ଭାବେ ପରିଚିତ ଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଘର୍ଷ କରି ନଭେମ୍ବର ୫ ତାରିଖରେ ସ୍ୱର୍ଗବାସୀ ହୋଇଥିଲେ । ସ୍ୱର୍ଗତ ଯୁବ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀ ଓ ୨ବର୍ଷର ଏକ ଝିଅ ଥିବା ଜଣାପଡିଛି । ପ୍ରବୀରଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ଆଜି ଜିଲ୍ଲାପାଳ ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।






