ନୟାଗଡ଼, (ବାଘୁଆବାର୍ତ୍ତା): ପହିଲି ରଜପର୍ବରେ ଖଣ୍ଡପଡ଼ା ବ୍ଳକ ଅଧିନ ଖଳିସାହି ଗ୍ରାମର ରାଜୁଆ ସାହିରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୁରତ୍ୱ ନିୟମକୁ ବଜାୟ ରଖି ଆୟୋଜିତ ଯୋଗ ଶିବିରରେ ସ୍ଥାନୀୟ ଅଂଚଳର ୫୦ରୁ ଉର୍ଦ୍ଧ ବ୍ୟକ୍ତି ଓ ପିଲାମାନେ ଯୋଗଦେଇଥିଲେ । କଳପଙ୍ଗୀ ଉଚ୍ଚ ବିଦ୍ୟାଳୟର କ୍ରୀଡାଶିକ୍ଷକ ଧନେଶ୍ୱର ବେହେରା ଶିବିରରେ ଉପସ୍ଥିତ ରହି ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀର ସୁସ୍ଥ ରହିବ ବୋଲି ସେ ପରାମର୍ଶ ଦେଇଥିଲେ । ଏ ଅବସରରେ ସମବେତ ଭାବେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ଗାନ କରିଥିଲେ । କେନ୍ଦ୍ର ସରକାରଙ୍କ ଆୟୁଷ ସଞ୍ଜିବନୀ ଆପ ଓ ଆରୋଗ୍ୟ ସେତୁ ଆପ ସଂପର୍କରେ ଯୁବ ସଂଗଠକ ଅଜୟ କୁମାର ସାହୁ ସୂଚନା ପ୍ରଦାନ କରିବା ସହ ଏହାର ଉପକାରିତା ସଂପର୍କରେ ସମସ୍ତଙ୍କୁ ବୁଝାଇଥିଲେ । ଯୋଗ ଶିବିରରେ ଉପସ୍ଥିତ ଥିବା ୫୦ଜଣ ବ୍ୟକ୍ତିଙ୍କ ସ୍ମାର୍ଟ ମୋବାଇଲ ଫୋନରେ ୨ଟି ଯାକ ଆପକୁ ଇନଷ୍ଟାଲ କରାଯାଇଥିଲା । ରାଜୁଆସାହି ଗଣେଶ ପୂଜା କମିଟିର ସଭାପତି ସୁରେଶ ସାଥୁଆ, କାର୍ତିକେଶ୍ୱର ପଗଡ଼, ବିଜୟ ପଗଡ଼, ସନାତନ ସାଥୁଆ ପ୍ରମୁଖ ଯୋଗ ଶିବିର ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।





