ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ଅଧିବେଶନ ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଖିଳ କୁମାର ଜାନୀ, ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ କଟକ, ପୁରୀ ଓ କନ୍ଧମାଳ ସାଂସଦଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଖଣ୍ଡପଡ଼ାଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳ ଡ. ପୋମା ଟୁଡୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ସମସ୍ତ ବ୍ଲକର ରାସ୍ତାଗୁଡ଼ିକର ଉନ୍ନତି କରଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ସଂଯୋଗୀକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ବିଶଦ ଭାବରେ ଉପସ୍ଥାପନ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜିଲ୍ଲାର ୮ଟି ବ୍ଲକର ସଂଯୋଗ ରାସ୍ତା ଗୁଡ଼ିକର ଅବସ୍ଥା ଓ ଉନ୍ନତି କରଣ ସଂପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଗ୍ରାମୀଣ ରାସ୍ତାଗୁଡ଼ିକର ଉନ୍ନତି କରଣ ତ୍ରିସ୍ତରୀୟ ପର୍ଯ୍ୟାୟରେ କରାଯିବ ବୋଲି କହିଥିଲେ । ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ରାସ୍ତାର ସଂଯୋଗୀକରଣ କରାଯିବ । ସେହି ରାସ୍ତାରେ ମେଡିକାଲ, ଥାନା, ଉଚ୍ଚ ବିଦ୍ୟାଳୟ ଆଦି ଅନୁଷ୍ଠାନ ଗୁଡ଼ିକ ରହୁଥିବାର ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଗଣିଆ ଓ ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକମାନେ ଯେପରି ଉପକୃତ ହେବେ ତାହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କରିବା ପାଇଁ ମାନ୍ୟବର ବିଧାୟକ ଦଶପଲ୍ଲା ଏବଂ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ମତପ୍ରକାଶ କରିଥିଲେ । ଜିଲ୍ଲାର ମୋଟ ୩୪୧ଗୋଟି ରାସ୍ତା ଏବଂ ସମସ୍ତ ରାସ୍ତାର ମୋଟ ଦୈର୍ଘ୍ୟ ୨୭୭୩ କି.ମି.କୁ ବୈଠକରେ ଅନୁମୋଦନ କରାଯାଇ ସରକାରଙ୍କୁ ପ୍ରେରଣ କରାଗଲା ।





