ଜିଲ୍ଲାରେ ପ୍ରତି ଏକ ହଜାର ପୁଅଙ୍କ ମଧ୍ୟରେ ଝିଅ ସଂଖ୍ୟା ୮୫୫ ରହିଛି
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆଜି ତୃତୀୟ ଦିବସ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଯୋଗ ଦେଇଥିଲେ । ସିନ୍ଧୁତ୍ୱ ଓ ବିନ୍ଦୁତ୍ୱ କଥାର ଉଦାହରଣ ଦେଇ ଶ୍ରୀ ବେହେରା ମହୋତ୍ସବକୁ ସିନ୍ଧୁତ୍ୱ ସହ ତୁଳନା କରିଛନ୍ତି । ଆମ ଜିଲ୍ଲା କଳା, ସାହିତ୍ୟ ପାଇଁ ବିଶ୍ୱରେ ପରିଚିତ ଲାଭ କରିଥିବା ବେଳେ ଦଶପଲ୍ଲାରେ ୨୧୭ ବର୍ଷ ଧରି ଚାଲିଥିବା ରାମାୟଣ କଥା ନୟାଗଡ଼ ମାଟିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇକ୍ତି ବୋଲି କହିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟରେ ମହୋତ୍ସବ ମାଧ୍ୟମରେ କନ୍ୟା ସନ୍ତାନ ସୁରକ୍ଷା, ବେଟି ବଚାଅ, ବେଟି ପଢ଼ାଅର ବାର୍ତ୍ତା ସହ ନାବାଳିକା ବିବାହ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂମ୍ପର୍କରେ ସୂଚନା ଦେଇଛନ୍ତି । ଜିଲ୍ଲାରେ ପ୍ରତି ଏକ ହଜାର ପୁଅଙ୍କ ମଧ୍ୟରେ ଝିଅ ସଂଖ୍ୟା ୮୫୫ ରହିଛି, ଯାହା ଅତ୍ୟନ୍ତ ଉଦ୍ବେଗ ଜନକ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିବା ସହ ସମସ୍ତେ ଏକାଠି ହୋଇ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି । ଆଜିର ସଂନ୍ଧ୍ୟାରେ ସର୍ବ ପ୍ରଥମେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ନୟାଗଡ଼ ଡିଭାଇନ୍୍ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନୟାଗଡ଼ ବନ୍ଦନା ପରିବେଷଣ କରାଯାଇଥିଲା । ଏଥିସହିତ ଗୀତ୍ ସାଗର୍ ମେଲୋଡ଼ି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।






