ଜୟପୁର, (ବାଘୁଆବାର୍ତ୍ତା): ଅନ୍ଲାଇନ ମାଟ୍ରିମୋନି ସାଇଟରେ ବିବାହ କରି ଅନେକ ଯୁବକ ଯୁବତୀ ଠକାମୀର ଶୀକାର ହେଉଥିବା ଆପଣ ଶୁଣିଥିବେ । ହେଲେ ଜଣେ ଯୁବ ଓଏଏସ୍ ଅଧିକାରିଣୀ ଓଡ଼ିଆ ମାଟ୍ରିମୋନି ସାଇଟରେ ଜଣେ ଯୁବକଙ୍କୁ ପସନ୍ଦ କରି ବିବାହ କରିବା ପରେ ଏବେ ଠକାମୀର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଅଧିକାରିଣୀ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ଜୟପୁରର । ଆଉ ଠକାମୀର ଶୀକାର ହେବାର ଜାଣିବା ପରେ ରାତି ଅଧରେ ଶାଶୁ ଓ ଶ୍ବଶୁର ଘରେ ପଶି ସ୍ବାମୀଙ୍କୁ ଖୋଜିଛନ୍ତି । ସ୍ବାମୀଙ୍କୁ ନପାଇ ଶ୍ବଶୁର ଘରେ ହଙ୍ଗାମା କରିଛନ୍ତି । ଆଉ ଏସବୁ ଘଟିଥିଲା ପୋଲିସ ଉପସ୍ଥିତିରେ । ଏନେଇ ସଂପୃକ୍ତ ମହିଳା ଅଧିକାରିଣୀ ଜୟପୁର ଟାଉନ ଥାନାରେ ସ୍ବାମୀ, ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କ ନାଁରେ ନିର୍ୟାତନା ଅଭିଯୋଗ କରି ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ମହିଳା ଅଧିକାରିଣୀ ଗତ ଫେବୃଆରୀ ୯ ତାରିଖ ଦିନ ଜୟପୁରରେ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିବାହ ପୂର୍ବରୁ ଉଭୟେ ଉଭୟଙ୍କୁ ଓଡ଼ିଆ ମାଟ୍ରିମୋନି ସାଇଟରେ ଜାଣିଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ଦିଲ୍ଲୀର ନାଲକୋରେ ଡେପୁଟି ମ୍ୟାନେଜର ଭାବେ ଚାକିରୀ କରୁଥିବା କହିଥିଲେ । କିନ୍ତୁ ବିବାହ ପରେ ସେ ନାଲକୋରେ ଚାକିରୀ କରୁଥିବା ପ୍ରମାଣ ଦେଖାଇ ପାରିନଥିଲେ । ତେଣୁ ମିଛ କହି ମହିଳା ଅଧିକାରିଣୀଙ୍କୁ ସେ ବିବାହ କରିଥିବା ଏବଂ ଦିଲ୍ଲୀରେ ଅନ୍ୟ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଯୁବକ ଜଣଙ୍କ ଦିଲ୍ଲୀରେ ଥିବା କହୁଥିଲେ ବି ନିଜ ପ୍ରକୃତ ଲୋକେସନ ମାଗିଲେ ବି ହ୍ବାଟ୍ସଆପ୍ରେ ପଠାଉ ନାହିଁନ୍ତି । ଯାହାକି ତାଙ୍କ ପ୍ରତି ସନ୍ଦେହ ବଢାଉଛି । ତେବେ ଜଣେ ମହିଳା ଓଏଏସ୍ ଅଧିକାରିଣୀ ଅନଲାଇନ ମାଟ୍ରିମୋନି ସାଇଟରେ ବିବାହ କରି ଠକାମୀର ଶୀକାର ହେବା ଓ ରାତି ଅଧରେ ଶାଶୁ ଶ୍ବଶୁର ଘରେ ଏପରି ହଙ୍ଗାମା କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।





