ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ମାଟି ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ମାଟି । ବହୁ ପ୍ରାଚୀନ କଥା ଓ ପରମ୍ପରା ସହ ଏଠାକାର ଚାଲିଚଳଣି ମଧ୍ୟ ଅଲଗା ପ୍ରକାରର । ନୟାଗଡ଼ ପୁରୁଣାସହରରେ ରହିଛି ଅନେକ ପ୍ରାଚୀନ ତଥା ଐତିହାସିକ କିମ୍ବଦନ୍ତୀ । ଦକ୍ଷିଣକାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର ସହ ଅନେକ ମଠ ଏବଂ ପୁରୁଣା ରାଜବାଟୀ ଏହି ପୁରୁଣାସହରରେ ରହିଛି । ରହିଥିବା ମଠ ମଧ୍ୟରୁ ଅନ୍ୟତମ ହେଉଛି ହାତୀଶାଳ ମଠ । ନୟାଗଡ଼ ଜଗନ୍ନାଥ ମନ୍ଦିରଠାରୁ ଜିଲ୍ଲା ପରିଷଦ କାର୍ୟ୍ୟାଳୟକୁ ଯିବା ରାସ୍ତାର ବାମ ପାଶ୍ୱର୍ରେ ଏହି ମଠ ରହିଛି । ଜଗନ୍ନାଥ ମନ୍ଦିର ଇତିହାସ ସହ ହାତୀଶାଳ ମଠର ଅନେକ ସମ୍ପର୍କିତ ପୃଷ୍ଠା ଆଜି ବି ପାଠ ହୋଇନାହିଁ । ଏଣ୍ଡୋମେଣ୍ଟ କମିଶନ ଅଧିନରେ ଏହି ମଠ ରହିଥିବା ବେଳେ ଏଠାରେ ଅନେକ ବିବାହ, ବ୍ରତ ଓ ନିର୍ବନ୍ଧ କାର୍ୟ୍ୟ କରାଯାଇଥାଏ । ଏହି ମଠ ଅଧିନରେ ରହିଥିବା ଅନେକ ସମ୍ପତ୍ତିକୁ ବିଗତ ଦିନରେ ଜୈନିକ ମହନ୍ତ ବିକ୍ରି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ମହୀପୁର, ସୁନାଲଟି, ପଣ୍ଡୁସର ଓ ଆଡ଼ିପଡ଼ା ଅଞ୍ଚଳରେ ଥିବା ୫୦ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିକୁ ବିକ୍ରି କରି ଦିଆଯାଇଛି । ମଠକୁ ଲାଗି କୋଟି କୋଟି ଟଙ୍କା ମୁଲ୍ୟର ୧୨ ମାଣ ଚାଷ ଜମି ରହିଛି । ଯାହା କିଛି ବର୍ଷ ହେବ ଚାଷ ନହୋଇ ପଡ଼ି ରହିଛି । ମଠ ଘର ଗୁଡ଼ିକ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ପ୍ରାଚୀର ଓ ଚତୁପାଶ୍ୱର୍ ପରିବେଶ ବେଶ ଅପାନ୍ତେୟ ଭାବେ ପଡ଼ି ରହିଛି । ବଡ଼ମଠ ଅଧିନରେ ରହିଥିବା ହାତୀଶାଳ ମଠରେ ମହନ୍ତ ରଘୁନାଥ ଓ ଗୋପୀନାଥଙ୍କୁ ଦୈନିକ ପୂଜାର୍ଚ୍ଚାନ କରିଥାନ୍ତି । ଅନେକ ସମୟରେ ବାହାରୁ ଆସୁଥିବା ସାଧୁ, ସନ୍ଥମାନେ ଏଠାରେ ଅବସ୍ଥାନ କରିଥାନ୍ତି । ମଠର ଦୈନନ୍ଦିନ ପୂଜାର୍ଚ୍ଚାନ ଓ ଭୋଗ ଅନେକ ଦାତବ୍ୟ ବ୍ୟକ୍ତିଙ୍କ ସହଯୋଗ ମିଳୁଥିବା ମହନ୍ତ କହିଛନ୍ତି । ଅନେକ ସମୟରେ ଆସୁଥିବା ସାଧୁ, ସନ୍ଥଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରିବାକୁ ହଇରାଣ ହେବାକୁ ପଡ଼ୁଥିବା ମଧ୍ୟ ସୂଚନା ଦେଇଛନ୍ତି । ମଠ ଗୃହ ଗୁଡ଼ିକରୁ ବର୍ଷାଦିନେ ପାଣି ଗଳୁଥିବା ବେଳେ ଏହା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ଯାହାର ମରାମତି କିମ୍ବା ପୁନଃ ନିର୍ମାଣର ନିହାତି ଆବଶ୍ୟକତା ରହିଛି । ଅନ୍ୟପକ୍ଷେ, ସେଠାରେ କରାଯାଉଥିବା ବିବାହ ଓ ନିର୍ବନ୍ଧ କାମ ପାଇଁ ମଧ୍ୟ ଅନେକ ସମୟରେ ପ୍ରଶାସନିକ କଟକଣା ଜାରି କରାଯାଉଛି । ମଠର ଉନ୍ନତୀ ପାଇଁ କାହାରି ଦୃଷ୍ଟି ପଡ଼ୁନଥିବା ଜଣାପଡ଼ିଛି । ଏହି ମଠର ଉନ୍ନତୀକରଣ କରାଯିବା ସହ ଏହାକୁ ପର୍ୟ୍ୟଟକଙ୍କ ପାଇଁ ଆକର୍ଷଣୀୟ କରାଯିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ପୈାର ପରିଷଦ, ଏଣ୍ଡୋମେଣ୍ଟ କମିଶନ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।






