ବରଗଡ, (ବାଘୁଆବାର୍ତ୍ତା): ବରଗଡ ସବଜେଲର ଅଧିକାରୀ ଦୁଇ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଜେଲ୍ ଅଧିକାରୀଙ୍କ ମାଡରେ ଉଭୟ କଏଦୀ ଗୁରୁତର ହୋଇପଡିଛନ୍ତି । ଏକ ଡକାୟତି ମାମଲାରେ ବରଗଡ ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହୁଛନ୍ତି ଦୀପକ ଗୁପ୍ତା ଓ ଲାଲବାବୁ ଚୌଧୁରୀ । ତେବେ ୪ -୫ ଦିନ ପୂର୍ବରୁ ସେମାନଙ୍କୁ ଜେଲ ଭିତରେ କେତେକ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ନେଇ ଉଭୟଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ଜେଲ ଭିତରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ସେମାନେ ଏହାର ବିରୋଧ କରିବାରୁ ସେମାନଙ୍କ ପୁଅକୁ ଜେଲର କେତେକ କର୍ମଚାରୀ ମାଡ଼ ମାରିଥିବା କହିଛନ୍ତି ଦୀପକ ଗୁପ୍ତାଙ୍କ ମା’ । ସେହିପରି କର୍ମଚାରୀଙ୍କ ମାଡ଼ରେ ତାଙ୍କ ପୁଅଙ୍କ ଶରୀର ସାରା ନୋଳା ପଡିଯାଇଥିବା କହିଛନ୍ତି ଲାଲବାବୁ ଚୌଧୁରୀଙ୍କ ମା’। ତେବେ ବରଗଡ଼ ସବଜେଲ୍ ର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଆଇନଜୀବୀ ଅନନ୍ତ ଶୟନ ପାଢ଼ୀ । ବରଗଡ଼ ଉପକାରଗାରର ଅଧିକାରୀଙ୍କ ବିରୋଧରେ ମାଡ଼ ମରା ଅଭିଯୋଗ ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ । ଉଭୟ କଏଦୀ ଓଲଟି ଅନ୍ୟ କଏଦୀମାନଙ୍କ ସହ ପ୍ରତିଦିନ ଗଣ୍ଡଗୋଳ କରିବା ସହ ଜେଲ୍ କର୍ମଚାରୀଙ୍କୁ ଧମକ ଚମକ ଦେଉଥିଲେ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଜେଲର ଅଞ୍ଜଳି ପଟେଲ । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲାପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।





