ନୟାଗଡ଼, (ବାଘୁଆବାର୍ତ୍ତା): ମେ ୧୫ ଯାଏଁ ବନ୍ଦ ହେଲା ଜଗା ଦର୍ଶନ । ପୁରୀରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିରରେ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିବ । ଛତିଶାନିଯୋଗ ବୈଠକରେ ସେବାୟତମାନେ ସାଧାରଣ ଦର୍ଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ କୋଭିଡ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ । ପୁରୀରେ ଆଜି ରେକର୍ଡ ସଂଖ୍ୟକ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏତଦ୍ ବ୍ୟତୀତ ଶ୍ରୀମନ୍ଦିରରର ବହୁ ସେବାୟତ ଓ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପୁରୀ ସହରରେ ମଧ୍ୟ ବିଭିନ୍ନ ସାହିରେ ହୁ ହୁ ହୋଇ ମାଡ଼ି ଚାଲିଛି କରୋନା । ଯାହାକି ମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେବେ ଶ୍ରୀମନ୍ଦିରରେ ନୂତନ ଏସଓପି ଓ କରୋନା ସ୍ଥିତିକୁ ଦେଖି ଛତିଶାନିଯୋଗ ବୈଠକ ବସିଥିଲା । ଏହି ବୈଠକରେ ଆଗାମୀ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ । କୋଭିଡ ନିୟମ ଅନୁଯାୟୀ ରଥ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି ।





