ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଅନେକ ସମୟରେ ଘର ସଫା କରିବା ସମୟରେ ଘରୁ କିଛି ଅଦରକାରୀ ସାମଗ୍ରୀ ବାହାରିଥାଏ । ଏହାକୁ ସମସ୍ତେ ବାହାରେ ଫୋପାଡି ଦିଅନ୍ତି । କିନ୍ତୁ ବହୁତ କମ୍ ଲୋକ ଥାଆନ୍ତି ଯିଏ ଏଭଳି ଅଦରକାରୀ ସାମଗ୍ରୀ ଦେହରେ ମଧ୍ୟ ଜୀବନ ଭରିପାରନ୍ତି । ଆଉ ଏମିତି ଜଣେ କଳାକାର ହେଉଛନ୍ତି ଦେବଶ୍ରୀ ମିଶ୍ର । ତାଙ୍କର ଚିତ୍ରକଳା ଏବେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛି । ୧୯ ବର୍ଷୀୟା ଦେବଶ୍ରୀଙ୍କ କାରୁକାର୍ୟ୍ୟ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ତାଙ୍କ ହାତର ସ୍ପର୍ଶ ବାଜିବା ପରେ ଅନେକ ଅଦରକାରୀ ସାମଗ୍ରୀ ଯଥା ଅଣ୍ଡା ଟ୍ରେ, ସିଡି କ୍ୟାସେଟ୍, ବୋଲତ, ନଡିଆ କତା, ବେଲୁନ, ମାଟି ପାତ୍ର, ପୁରୁଣା କପଡା, ଦୀପ ଆଦି ବର୍ୟ୍ୟବସ୍ତୁ ବି ଘରର ଡ୍ରଇଁରୁମର ସୌନ୍ଦର୍ୟ୍ୟ ବଢାଉଛନ୍ତି । ଦେବଶ୍ରୀଙ୍କ ରଙ୍ଗତୂଳୀରେ ଜୀବନ୍ୟାସ ପାଉଛନ୍ତି ଅଦରକାରୀ ବସ୍ତୁ । ତାଙ୍କର ଏହି ଚିତ୍ରକଳା ପାଇଁ ସେ କେବଳ ରାଜ୍ୟ ଭିତରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ନିଜର ମଣ୍ଡାଲା ଆର୍ଟ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ସେ ଆଶା ଓ ବିଶ୍ଵାସ ରଖିଛନ୍ତି। ୪ ସେଣ୍ଟିମିଟରର ବିଶ୍ଵର ସବୁଠୁ ଛୋଟ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମୂର୍ତ୍ତି ନିର୍ମାଣ କରି ସେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ଜୁଲାଇ ୧୧ରେ ତାଙ୍କୁ ପଦକ ଏବଂ ମାନପତ୍ରରେ ସମ୍ମାନିତ କରାଯାଇଛି। ଛୋଟ ବେଳୁ ତାଙ୍କର ପେଟିଂ ପ୍ରତି ରୁଚି ରହିଥିଲା। ସେ ଅଦରକାରୀ ବସ୍ତୁକୁ ନେଇ ପଟ୍ଟଚିତ୍ର ଏବଂ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି। ପରେ ମଣ୍ଡାଲା ଏବଂ ଡିଜିଟାଲ ପେଣ୍ଟିଂ କରିବା ଆରମ୍ଭ କରି ଦେଇଛନ୍ତି। ଦେବଶ୍ରୀ କହିଛନ୍ତି, ଲକ୍ଡାଉନ୍ ସମୟ ମୋତେ ରଚନାତ୍ମକ ଏବଂ କଳାରେ କିଛି ନୂତନତ୍ଵ କରି ଦେଖାଇବାର ପର୍ୟ୍ୟାପ୍ତ ସମୟ ମିଳିଥିଲା। ମୁଁ ଏବେ ପଟ୍ଟଚିତ୍ର, ଲୋକ କଳା, ମଣ୍ଡାଲା, ଡିଜିଟାଲ ଆର୍ଟ, ମୂର୍ତ୍ତି, ପେଟିଂ, ଘରର ସାଜସଜା ଉପକରଣ ଏବଂ କାନ୍ଥରେ ପେଣ୍ଟିଂ ଆଦି କରୁଛି। ନିକଟରେ ନିଜ ବାଲକୋନୀ କାନ୍ଥରେ ୬ ଫୁଟ ଉଚ୍ଚର ଏକ ପେଣ୍ଟିଂ କରିଛି। ଏହି ସବୁ ମୁଁ ଅଦରକାରୀ ବସ୍ତୁ ଜରିଆରେ କରୁଛି ବୋଲି ସେ କହିଛନ୍ତି। ମା ଶୈଳବାଳା ଝିଅର ଆଗ୍ରହ ଦେଖି ଏ ଦିଗରେ ତାଙ୍କୁ ଉତ୍ସାହିତ କରୁଛନ୍ତି । ଦେବଶ୍ରୀ ଶିକ୍ଷା ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟର(ସୋଆ) ପରିଚାଳିତ ଆଇଟିଆରରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଛାତ୍ରୀ। ତାଙ୍କ ପିତା ସିଜୁଆସ୍ଥିତ ଏମ୍ସ ମେଡିକାଲରେ କୁଳସଚିବ ଭାବେ କାର୍ୟ୍ୟରତ ଅଛନ୍ତି । ଦେବଶ୍ରୀ କୌଣସି ପ୍ରତିଯୋଗିତା କିମ୍ବା ସୁନାମ ଅର୍ଜନ ପାଇଁ ଏସବୁ କରୁ ନାହାନ୍ତି ବରଂ ଏହା ତାଙ୍କର ସଉକ ଓ ଦୁର୍ବଳତା ବୋଲି ସେ କହିଛନ୍ତି । ସେ ଅନ୍ୟ କାହା ପାଇଁ ଏହା କରିବେ ନାହିଁ କି ଏହା ତାଙ୍କର ପେଶା ନୁହେଁ ବୋଲି ଦେବର୍ଶୀ କହିଛନ୍ତି। ମୁଁ କଦାପି କଳା ଏବଂ ହସ୍ତଶିଳ୍ପ କରିବା ବନ୍ଦ କରିବି ନାହିଁ। ମୁଁ ଏହାକୁ ମୋର କ୍ୟାରିୟର କରିବି ନାହିଁ କି ଅର୍ଡର ନେଇକି କରିବି ନାହିଁ। ଭାରତର ସର୍ବଶ୍ରେଷ୍ଠ ଚିତ୍ରାଙ୍କନ ଭାବରେ ମୁଁ ମଧ୍ୟ ଅଖିଲ ଭାରତୀ ନାଗରିକ ବିକାଶ କେନ୍ଦ୍ରରୁ ମେରିଟ୍ ସାର୍ଟିଫିକେଟ୍ ପାଇଛି ବୋଲି ଦେବଶ୍ରୀ କହିଛନ୍ତି ।






