ନୟାଗଡ଼, (ବାଘୁଆବାର୍ତ୍ତା): ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ (ଜଗା)ଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ । ମହାମାରୀ କୋଭିଡ୍ର ମାୟା ଜାଲରେ ଛନ୍ଦି ହୋଇ ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାସ୍ତାରେ । ଆଜି ସକାଳେ ତାଙ୍କର ଭୁବନେଶ୍ୱରରେ ଏକ କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । କେନ୍ଦ୍ରାପଡ଼ାରେ ଖେଳୁଥିଲା କଳିଙ୍ଗ ଗଣନାଟ୍ୟ । ରାଜ୍ୟରେ ହଠାତ୍ କରୋନା ଗ୍ରାଫ୍ ବଢ଼ିବାରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଯାହାଫଳରେ କେନ୍ଦ୍ରାପଡ଼ାରେ ହେଉଥିବା ଯାତ୍ରା ଅଧାରୁ ବନ୍ଦ ହେଲା । ସବୁ କଳାକାର ଘରକୁ ଫେରିଲେ । ଜଗା ଭାଇ ମଧ୍ୟ ବଳଙ୍ଗା ସ୍ଥିତି ନିଜ ଘରକୁ ଫେରିଲେ । ତେବେ ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଲେ । ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜେଟିଭ ଆସିବାରୁ ଜଗାଭାଇଙ୍କୁ ପୁରୀ ସ୍ଥି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ତିନି ଦିନ ତଳେ ତାଙ୍କୁ ଭୁବନେଶ୍ୱର ସ୍ଥିତ ନୀଳାଚଳ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ବିୟୋଗ ହୋଇଯାଇଛି ।





