ନୟାଗଡ଼,(ବାଘୁଆବାର୍ତ୍ତା): ଗଦାଧରପ୍ରସାଦ ସରପଞ୍ଚଙ୍କୁ ମରଣାନ୍ତକ ଘଟଣାରେ ପୁଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଗଦାଧରପ୍ରସାଦ ପଞ୍ଚାୟତ ହରିପୁର ଗାଁରେ ହିଂସା ସୃଷ୍ଟି କରିବା ପାଇଁ କିଛି ରାଜନୈତିକ ବ୍ୟକ୍ତି ଉଦ୍ୟମ ଚଳାଇ ଆସିଛନ୍ତି । ଏକ ରାଜନୈତିକ ସଭାରେ ଦିଆଯାଇଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ସକାଳୁ ସରପଞ୍ଚ ଶ୍ରୀଯୁକ୍ତ ପାତ୍ର କୈାଣସି କାମ ପାଇଁ ନୟାଗଡ଼ରୁ ଗାଁକୁ ଆସୁଥିବା ବେଳେ ହରିପୁର ଗାଁ ନିକଟସ୍ଥ ଖେଳପଡ଼ିଆଠାରେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ହଠାତ ତାଙ୍କୁ ଖଣ୍ଡା, ଶାବଳ ଓ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶ୍ରୀଯୁକ୍ତ ପାତ୍ରଙ୍କ ମୁଣ୍ଡରେ ଖଣ୍ଡା ଚୋଟ ବସିବା ସହ ହାତ ଓ ଅନ୍ୟାନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଗାଁର କିଛି ଯୁବକ ଶ୍ରୀଯୁକ୍ତ ପାତ୍ରଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ଇଟାମାଟି ପୁଲିସ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଇଟାମାଟି ପୁଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ଛାନଭିନ୍ କରୁଥିବା ସୂଚନା ମିଳିଛି । ହରିପୁର ଗାଁର ମାନସ ରଞ୍ଜନ ପ୍ରଧାନ, ସାଗର ପ୍ରଧାନ, ସୋମନାଥ ପ୍ରଧାନ, ଦିପକ ପ୍ରଧାନଙ୍କୁୁ ଅଟକ ରଖାଯାଇଥିବା ଥାନା ଅଧିକାରୀ କହିଛନ୍ତି । ତଦନ୍ତ ପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





