ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ପୁଲିସ ଆଜି ଏକ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ପର୍ଦାଫାସ କରିଛି । ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ଅନେକ ମାରଣାସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଇଟାମାଟି ଥାନା ଅନ୍ତର୍ଗତ ବୁରୁଡ଼ା ଗ୍ରାମର ଦୁଃଶାସନ ପଲେଇଙ୍କ ପୁଅ ଶ୍ରୀନିବାସ ପଲେଇ ଓରଫ ନଣ୍ଡା ପଲେଇ, ଉକ୍ତ ଗ୍ରାମର ବେଣୁଧର ବେହେରାଙ୍କ ପୁଅ ମୁରଲୀ ବେହେରା, ଫାସିପଡ଼ା ଗ୍ରାମର କୈଳାସ ପ୍ରଧାନଙ୍କ ପୁଅ ଗଣେଶ ପ୍ରଧାନ, ଫାସିପଡ଼ା ଗ୍ରାମର ଦୁର୍ଯ୍ୟୋଧନ ପରିଡ଼ାଙ୍କ ପୁଅ ଲକ୍ଷ୍ମୀଧର ପରିଡ଼ା ଓରଫ ସୁଧି ରହିଥିବା ଜଣାଯାଇଛି । ଏମାନେ ଛେଳି ଏବଂ ଗାଡ଼ି ଚୋରୀ ଘଟଣାରେ ସଂପୃକ୍ତ ଥିବା ପୁଲିସ ସୁତ୍ରରୁ ଜଣାଯାଇଛି । ପୁଲିସ ସେମାନଙ୍କ ନିକଟରୁ ଟାଟାଏସି ଗାଡ଼ି ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିବା ଆଜି ନୟାଗଡ଼ ଏସଡିପିଓ ନୀରଞ୍ଜନ ପାଢ଼ୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଦ୍ୱାରା ବିଭିନ୍ନ ଡକାୟତୀ ଘଟଣାରେ ବ୍ୟବହୃତ ଦୁଇଟି କଟୁରୀ, ଗୋଟିଏ ବନ୍ଧୁକ ଏବଂ ୬ଟି ଅଫୁଟା ଗୁଳି ଜବତ କରାଯାଇଥିବା ଏସ୍ଡିପିଓ ପ୍ରକାଶ କରିଛନ୍ତି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କ ନିର୍ଦ୍ଦେଶରେ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ଏହି ଗ୍ୟାଙ୍ଗର ମୁଖା ଖୋଲି ଥିବା ଜଣାଯାଇଛି । ଏହି ଅଭିଯୁକ୍ତମାନଙ୍କର ଅନ୍ୟ ଥାନା ଗୁଡ଼ିକର କୈାଣସି ମାମଲାରେ ସଂପୃକ୍ତି ରହିଛି ନାଁ ନାହିଁ ତାହାର ତଦନ୍ତ କରାଯାଉଥିବା ସୂଚନା ମିଳିଛି ।






