ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରେମିକାକୁ ଧୋକା ଦେଇ ଲୁଚାଛପାରେ ବାହା ହେଉଥିବା ପ୍ରେମିକକୁ ଗିରଫ କରିଛି ଇଟାମାଟି ପୁଲିସ । ଧୋକାବାଜ ପ୍ରେମିକର ଜାମିନ ନାମାଞ୍ଜୁର ହେବାରୁ ଜେଲ ଯିବାକୁ ପଡ଼ିଛି । ଜେଲ ଯିବା ପଛେ ପଛେ ପ୍ରେମିକା ଜେଲ ପାଖକୁ ଯାଇ ବାହୁନି କାନ୍ଦୁଥିବା ଦେଖାଯାଇଛି । ଏପରିକି ଗିରଫ ହୋଇଥିବା ଧୋକାବାଜ ପ୍ରେମିକକୁ ବେଲ ଆଣିବାକୁ ପ୍ରେମିକା ଏବେ ଲାଗି ପଡ଼ିଥିବା ଜଣାଯାଇଛି । ସୂଚନାନୁସାରେ, ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁର ମୁରଲୀ ନାୟକଙ୍କ ପୁଅ ବାପୁନୀ ନାୟକ ବଳଙ୍ଗା ଥାନା ଅଞ୍ଚଳ ଜଣେ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କୁ ବାହା ହୋଇଥିଲେ । ସୋମବାର ସଂଧ୍ୟାରେ ବାପୁନୀର ରିସେପସନ୍ ଭୋଜି ବେଳେ ଯୁବତୀ ଗ୍ରାମରେ ପହଞ୍ଚି ତାଣ୍ଡବ ରଚିଥିବା ବେଳେ ଥାନାର ଦ୍ୱାରସ୍ଥା ହୋଇଥିଲେ । ଇଟାମାଟି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ବାପୁନୀ ଓ ପ୍ରେମିକା ଯୁବତୀକୁ ନେଇ ଥାନାକୁ ଆଣି ପଚରାଉଚରା କରିଥିଲା । ଯୁବତୀ ଅଭିଯୋଗକୁ ଭିତ୍ତି କରି ଇଟାମାଟି ଥାନାରେ ୭୭/୨୧ରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମାଞ୍ଜୁର ହେବାରୁ ବାପୁନୀଙ୍କୁ ଜେଲ ଯିବାକୁ ପଡ଼ିଛି । ଅନ୍ୟପକ୍ଷେ, ବାପୁନୀ ଗିରଫ ହେବା ପରେ ତାଙ୍କ ପ୍ରେମିକା ଜାମିନରେ ଆଣିବାକୁ ଜେଲଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ଦୈାଡ଼ିଥିବା ଜଣାଯାଇଛି ।






