ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନର ଲଗାତାର ଦ୍ୱିତୀୟ ଦିନର ଡ୍ରୋନ୍ ଆଟାକର ଜବାବ ଦେଇଛି ଭାରତ । ପାଲଟା ଜବାବରେ ପାକିସ୍ତାନର ଅନେକ ସହରରେ ହମଲା କରାଯାଇଛି । ପାକିସ୍ତାନର ରାଜଧାନୀ ଇସଲାମାବାଦ, ଲାହୋର ଓ ରାୱଲପିଣ୍ଡି ପରି ସହରରେ ଭାରତ ନିଆଁ ବର୍ଷା କରିଛି । ରାୱଲପିଣ୍ଡି ସ୍ଥିତ ନୂର ଖାନ ଏୟାରବେସରେ ଶନିବାର ବିଳମ୍ୱିତ ରାତିରେ ବିସ୍ଫୋଣର ଶବ୍ଦ ଶୁଣିବାକୁ ମିଳିଛି । ଏଠାରେ ହିଁ ପାକିସ୍ତାନ ଏୟାରଫୋର୍ସର ଗୁରୁତ୍ୱପୂର୍ଣ୍ଣ ବେସ୍ ଓ ପାକ୍ ଆର୍ମି ମୁଖ୍ୟାଳୟ ଅଛି । ଏହା ବ୍ୟତୀତ ଲାହୋରର ରଫିକି ଏୟାରବେସ୍ ନିକଟରେ ବି ବିସ୍ଫୋରଣ ସୂଚନା ମିଳିଛି । ତେବେ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ଏୟାରବେସରେ ବିସ୍ଫୋରଣକୁ ପାକିସ୍ତାନ ସେନା ମଧ୍ୟ ସ୍ୱୀକାର କରିଛି । ଶନିବାର ଭୋର ୩.୩୦ରେ ପାକିସ୍ତାନ ସେନା ସାମ୍ୱାଦିକ ସମ୍ମିଳନୀ କରି ଦାବି କରିଛି ଯେ ଭାରତ ପାକିସ୍ତାନ ବାୟୁସେନାର ନୁର ଖାନ (ରାୱଲପିଣ୍ଡି), ମୁରିଦ (ଚକୱାଲ) ଏବଂ ରଫିକି (ଶୋରକୋଟ) ବାୟୁସେନା ଘାଟିକୁ ଟାର୍ଗେଟ କରିଛି । ସେନା ଦାବି କରିଛି ଯେ ଏହି ଆକ୍ରମଣରେ ପାକିସ୍ତାନ ବାୟୁସେନାର କୌଣସି କ୍ଷତି ହୋଇନାହିଁ । ପାକ୍ ସେନା ମୁଖପାତ୍ର ଜେନେରାଲ ଅହମଦ ସରିଫ ଚୌଧୁରୀ କହିଛନ୍ତି ଯେ ଭାରତ କିଛି ସମୟ ପୂର୍ବରୁ ଏହାର ଲଢ଼ୁଆ ବିମାନରୁ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ମାଡ଼ କରିଥିଲା । ସେପଟେ ଏହି ବିସ୍ଫୋରଣ ପାକିସ୍ତାନ NOTAM ଜାରି କରି ନିଜ ଆକାଶ ମାର୍ଗକୁ ବନ୍ଦ କରିଛି । ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ସହିତ ୨୬ଟି ସ୍ଥାନରେ ପାକିସ୍ତାନ ଡ୍ରୋନ ହମଲା କରିଥିଲା । ଶ୍ରୀନଗର, ଅବନ୍ତିପୋରା, ନାଗ୍ରୋଟା, ଜାମ୍ମୁ, ଫୀରୋଜପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜଟ୍ଟା, ଜୈସଲମେର, ବର୍ମର, ଭୁଜ, କୁଆରବେଟ, ଏବଂ ଲାଖି ନାଲାରେ ଡ୍ରୋନରେ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାନର ପ୍ରତିଟି ଆକ୍ରମଣକୁ ଭାରତୀୟ ସେନା ସଫଳତା ସହ ବିଫଳ କରିଥିଲେ । ପାକିସ୍ତାନ ଡ୍ରୋନକୁ ଆକାଶରେ ହିଁ ଇଣ୍ଟରସେପ୍ଟ କରାଯାଇଥିଲା । ପ୍ରତିରକ୍ଷା ସୂତ୍ର ଅନୁସାରେ LoC ଏବଂ ଅନ୍ତର୍ଜାତୀୟ ସୀମା ପାଖରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣର ଭାରତୀୟ ସେନା କଡ଼ା ଜବାବ ଦେଇଛି । ଭାରତ ପାଲଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପିଓକେର ଅନେକ ସ୍ଥାନରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି । ଜଲାଲପୁର ଜଟଣ ଅଞ୍ଚଳରେ ମଧ୍ୟ କଡ଼ା ଜବାବ ଦିଆଯାଇଛି ।