ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା) ଇରାନର ନୌସେନାର ସବୁଠାରୁ ବଡ ଜାହାଜ ବୁଧବାର ଅଗ୍ନିକାଣ୍ଡ ପରେ ବୁଡ଼ି ଯାଇଛି। ଓମାନର ଉପସାଗରୀୟ ଅଞ୍ଚଳରେ ହୋଇଥିବା ଏହି ଦୁର୍ଘଟଣାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇରାନର ସେମି ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଫାର୍ସ ଏବଂ ତସ୍ନିମର ସୂଚନା ଅନୁସାରେ, ଖର୍ଗ ନାମକ ଏହି ଜାହାଜକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏହା ବୁଡ଼ିଗଲା।ଏହି ଜାହାଜର ନାମ ଖର୍ଗ ଦ୍ୱୀପ ନାମରେ ରଖାଯାଇଥିଲା,ଯାହା ଇରାନର ମୁଖ୍ୟ ତୈଳ ଟର୍ମିନାଲ । ଏହି ଜାହାଜରେ ଅପରାହ୍ନ ୨ ଟା ୨୫ ମିନିଟ ସମୟରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ଏହାକୁ ଲିଭାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ,କିନ୍ତୁ ସବୁ ପ୍ରକାର ଚେଷ୍ଟା ବୃଥା ହୋଇଥିଲା। ଏହି ଜାହାଜ ଇରାନର ଜାସ୍କ ବନ୍ଦର ନିକଟରେ ବୁଡ଼ି ଯାଇଥିଲା। ଏହା ତେହେରାନଠାରୁ ପ୍ରାୟ ୧୨୭୦ କିଲୋମିଟର ଦୂରରେ ରହିଛି। ସୋସିଆଲ ମିଡିଆରେ ଏହି ଜାହାଜର ଭିଡିଓ ଭାଇରାଲ ହେଉଛି। ଏଥିରେ ଜାହାଜର କର୍ମଚାରୀମାନେ ଜ୍ୟାକେଟ୍ ପିନ୍ଧି ପାଣିକୁ ଡେଇଁ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଇରାନର ସମାଚାର ଏଜେନ୍ସି ଏହାକୁ ଏକ ଟ୍ରେନିଂ ଜାହାଜ ବୋଲି କହିଛନ୍ତି। ଭିଡିଓରେ ଜାହାଜରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଏହି ଜାହାଜ ଇରାନର ନୌସେନାର ଶକ୍ତି ବୋଲି କୁହାଯାଏ । ଏହାକୁ ୧୯୭୭ ମସିହାରେ ବ୍ରିଟେନରେ ନିର୍ମିତ ହୋଇଥିଲା ଏବଂ ୧୯୮୪ରେ ନୌସେନାରେ ସାମିଲ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଇରାନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ, ୨୦୧୯ ପରଠାରୁ ଓମାନ ଉପସାଗରୀୟ ଅଞ୍ଚଳରେ ଏଭଳି ସନ୍ଦେହଜନକ ଘଟଣା ଘଟୁଛି। ଏହି ଘଟଣା ପରେ ଆମେରିକାର ନୌସେନା ଅଭିଯୋଗ କରିଛି ଯେ ଇରାନ ସେମାନଙ୍କ ଜାହାଜକୁ ଟାର୍ଗେଟ କରୁଛି। । ଏହି ଘଟଣାକୁ ନେଇ ପ୍ରକୃତରେ କିପରି ନଆଁ ଲାଗିଲା ଓ ନିଆଁ ଲାଗିବା ପରେ ବୁଡିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହା ଭିତରେ କିଛି ଷଡଯନ୍ତ୍ର ଥିବାର ସନ୍ଦେହ କରାଯାଉଛି ।






