ଭୁବନେଶ୍ୱର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିିତ୍ର ମହୋତ୍ସବ ଆୟୋଜନ କରାଯିବ । ଏ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମ ମିଳିତ ଭାବେ ଏ କାର୍ଯ୍ୟକ୍ରମକୁ ରୂପାୟନ କରିବେ । ଗତକାଲି ଏ ସମ୍ବନ୍ଧରେ ଏକ ଭିଡିଓ କନଫରେନ୍ସିଂରେ କୋଭିଡ ପରେ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରିଲେ ଚଳଚିତ୍ର ମହୋତ୍ସବ ଆୟୋଜନ କରାଯିବା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, କମିଶନର ତଥା ଶାସନ ସଚିବ, ପର୍ଯ୍ୟଟନ ବିଭାଗ ଶ୍ରୀ ବିଶାଲ ଦେବ, ଅଧ୍ୟକ୍ଷ ଓଡ଼ିଶା ଚଳଚ୍ଚିିତ୍ର ଉନ୍ନୟନ ନିଗମ ଶ୍ରୀ କୁନା ତି୍ରପାଠୀ, ପରିଚାଳନା ନିର୍ଦ୍ଦେଶକ ଓଏଫ୍ଡିସି ଶ୍ରୀ ନୀତିନ୍ ଭାନୁଦାସ ଜାୱଲେ ଏବଂ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ପର୍ଯ୍ୟଟନ ବିଭାଗ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୋଭିଡ୍-୧୯ କଟକଣା ଯୋଗୁଁ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରଦର୍ଶନ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଥିବା ହେତୁ ଏହି ଶିଳ୍ପ ପ୍ରଭୂତ କ୍ଷତିର ସମ୍ମୁଖୀନ ହୋଇଛି । ଏହାକୁ କୋଭିଡ୍ ପରବର୍ତ୍ତୀ ସମୟରେ କିପରି ପୁନଃ ବ୍ୟବସ୍ଥିତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏଥି ସହିତ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଓଡ଼ିଶାରେ ରହିଥିବା ଅସୀମ ବିଭବ ଓ ପ୍ରାକୃତିକ ଶୋଭା ସମ୍ଭାର ଯାହା ବହୁ ଚଳଚିତ୍ର ନିର୍ମାତାମାନଙ୍କୁ ଜଣା ନଥିବା ଦର୍ଶାଇ ରାଜ୍ୟରେ ଚଳଚ୍ଚିିତ୍ର ନିର୍ମାଣ ପାଇଁ ଏକ ସର୍ବୋତ୍କୃଷ୍ଟ ସ୍ଥଳୀ ହୋଇ ପାରିବ ବୋଲି କହିଥିଲେ । ଆମ ପାଖରେ ସର୍ବୋତ୍କୃଷ୍ଟ ଚଳଚ୍ଚିିତ୍ର ନୀତି ରହିଥିବା ସେ ଉଲ୍ଲେଖ କରି ଏହା ରାଜ୍ୟ ବାହାରର ଚଳଚ୍ଚିିତ୍ର ନିର୍ମାତାଙ୍କୁ ବେଶ୍ ସୁହାଇବ ବୋଲି କହିଥିଲେ । ଏହି ଅବସରରେ ଓଏଫ୍ଡିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜାୱଲେ ଚଳଚ୍ଚିିତ୍ର ନିର୍ମାତା ଏବଂ ନିବେଶକାରୀମାନଙ୍କୁ ଆକର୍ଷିତ କରିବାକୁ ରହିଥିବା ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଆୟୋଜିତ ହେବାକୁ ଥିବା ଆଗାମୀ ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭର ତୃତୀୟ ସଂସ୍କରଣରେ ଏହି ବିଷୟକୁ ସାମିଲ କରିବାକୁ ଆଲୋଚନା କରାଯାଇଥିଲା । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପରବର୍ତ୍ତୀ ସମୟରେ ଓଡ଼ିଶା ଚଳଚ୍ଚିିତ୍ର ନିଗମ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ କରୁଥିବା ରୋଡ-ଶୋ ଭଳି କାର୍ଯ୍ୟକ୍ରମଗୁଡ଼ିକରେ ଚଳଚ୍ଚିିତ୍ର ନିଗମ ହାତ ମିଳାଇବାକୁ ସଚିବ ଶ୍ରୀ ଦେବ ଅନୁରୋଧ କରିଥିଲେ ।





