ମୁମ୍ବାଇ, (ବାଘୁଆବାର୍ତ୍ତା): ଆଇପିଏଲ-୨୦୨୨ରେ ବର୍ତ୍ତମାନ ସୁଦ୍ଧା ଖାତା ଖୋଲିବାରେ ବିଫଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୬ଟି ମ୍ୟାଚରୁ ମୁମ୍ବାଇ ଇଣ୍ଡିଆନ୍ସ ୬ଟି ହାରି ଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ ୬ଟି ମ୍ୟାଚରୁ ଗୋଟିଏ ମ୍ୟାଚ୍ ଜିତି ୫ଟି ମ୍ୟାଚ ପରାଜୟ ବରଣ କରିଛି । ଆସନ୍ତା କାଲି ହୋବକୁ ଥିବା ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ କଡ଼ା ଟକ୍କର ହେବ । ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଲଗାତାର ଛଅ ପରାଜୟ ପରେ ଆଇପିଏଲ ୨୦୨୨ରୁ ବାଦ୍ ପଡିବାର ଦ୍ଵାର ଦେଶରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଏହି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ଯଥା ସମ୍ଭବ ଉଦ୍ୟମ କରିବ ମୁମ୍ବାଇ। ପାଞ୍ଚ ଥରର ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ ଏ ପର୍ୟ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ। ଯଦି ଆଜିର ମ୍ୟାଚ୍ ହାରିଯାଏ ତେବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ ଦୌଡରୁ ବାଦ୍ ପଡିବ। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ମଧ୍ୟ ଠିକ୍ ନାହିଁ। ଦଳ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି। ଦଳ ଛଅଟି ମ୍ୟାଚରୁ ୫ଟିରେ ପରାଜୟର ମୁହଁ ଦେଖି ସାରିଛି। ଯଦି ଆଜିର ମ୍ୟାଚ୍ ଦଳ ହାରିଯାଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚିଯିବ। ମୁମ୍ବାଇ ପାଇଁ ସବୁଠୁ ବଡ ଚିନ୍ତା ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ। ସେ ଛଅଟି ମ୍ୟାଚରୁ ମାତ୍ର ୧୧୪ ରନ କରିଛନ୍ତି। ମୁମ୍ବାଇ ଯଦି ଲକ୍ଷ୍ୟର ପିଛା କରେ କିମ୍ବା ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବାକୁ ଚାହେଁ ତେବେ ରୋହିତ ଶର୍ମାଙ୍କୁ ବଡ ଇନିଂସ ଖେଳିବାକୁ ପଡିବ। ଯୁବ ବ୍ୟାଟସମ୍ୟାନ ଇଶାନ କିଷନ ନିଜ ବିକ୍ରି ମୂଲ୍ୟକୁ ସଠିକ୍ ସାବ୍ୟସ୍ତ କରି ପାରି ନାହାନ୍ତି। ତାଙ୍କୁ ମେଗା ନିଲାମରେ ୧୫.୨୫ କୋଟି ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ସେ ଛଅଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ସହ ୧୯୧ ରନ କରିଛନ୍ତି। ଡେଓ୍ଵାର୍ଲ୍ଡ ବ୍ରେଭିସ୍, ତିଳକ ବର୍ମା ଏବଂ ସୂର୍ୟ୍ୟକୁମାର ଯାଦବ କିଛି ଭଲ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇବାକୁ ହେଲେ ସେମାନଙ୍କୁ ମଧ୍ୟ କ୍ରମର ଦାୟିତ୍ଵ ସମ୍ଭାଳିବାକୁ ପଡିବ।






