ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଡାରିଲ୍ ମିଚେଲଙ୍କ ୬୩ ରନ୍ ଓ ମିଚେଲ ବ୍ରାସୱେଲଙ୍କ ୫୧ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଛି । ଟ୍ରଫି ଉଠାଇବାକୁ ହେଲେ ଭାରତକୁ ୨୫୨ ରନ୍ କରିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର । ଦୁଇ ଓପନରଙ୍କ ଦ୍ୱାରା ଭଲ ଷ୍ଟାର୍ଟ ମଧ୍ୟ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ପାର୍ଟନରଶିପ୍ ହୋଇଥିଲା । ତେବେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କ ସ୍ପିନକୁ ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଖେଳିପାରି ନଥିଲା । ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇ ଚାଲିଥିଲା । ନ୍ୟୁଜିଲାଣ୍ଡ ପାଇଁ ଡାରିଲ୍ ମିଚେଲ ସର୍ବାଧିକ ୬୩ ରନ୍ କରିଥିବା ବେଳେ ଅଲରାଉଣ୍ଡର ମିଚେଲ ବ୍ରାସୱେଲ ଧୂଆଁଧାର ବ୍ୟାଟିଂ କରି ୪୦ ବଲ ଖେଳି ୧୩୨ ଷ୍ଟ୍ରାଇକରେଟ୍ ସହ ୫୧ ରନ୍ କରି ଅପରାଜିତ ରହିଥିଲେ । ଗ୍ଲେନ୍ ଫିଲିପ୍ସ (୩୪), ରଚିନ ରବିନ୍ଦ୍ର (୩୭), କେନ୍ ୱିଲିୟମସନ୍ (୧୧), ୱିଲ୍ ୟଙ୍ଗ (୧୫), ଟମ୍ ଲାଥମ୍ (୧୪) ରନ୍ କରି ଆଉଟ୍ ହୋଇଥିଲେ ।