ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିବ ପାକିସ୍ତାନ ବିପକ୍ଷରେ । ଅକ୍ଟୋବର ୧୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀର ଘୋଷଣା କରିଛି । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ । ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ । ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି । ଏହି ଗ୍ରୁପରେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ରହିଥିବା ବେଳେ ବାକି ଦୁଇଟି ଟିମ୍ ରାଉଣ୍ଡ-୧ରୁ କ୍ୱାଲିଫାଏ କରିବେ । ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ । ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ । ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ । ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ । ଅକ୍ଟୋବର ୧୭ ତାରିଖରୁ ଓମାନରେ ପ୍ରଥମ ରାଉଣ୍ଡ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ଦିବସରେ ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମଧ୍ୟ ମ୍ୟାଚ୍ ଖେଳାଯିବ। ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ଟିମ୍ ରହିଥିବା ବେଳେ ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପର ଦୁଇ ଶୀର୍ଷ ଟିମ୍ ସୁପର୍-୧୨ ଷ୍ଟେଜକୁ କ୍ୱାଲିଫାଏ କରିବେ।






