ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ଜେଲ୍ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇନସାଫର ମୁଖିଆ ଇମ୍ରାନ ଖାନ୍ । ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫବେଳେ କୋର୍ଟ ପରିସରରେ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିଥିଲା । ଇମ୍ରାନଙ୍କ ସମର୍ଥକ ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ହେଲେ ଶେଷରେ ଇମ୍ରାନଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି ପାକ୍ ରେଞ୍ଜର୍ସ । ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ପିଟିଆଇ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ବେଳର ଗୋଟିଏ ଦୃଶ୍ୟ ଏବେ ଖାଲି ପାକିସ୍ତାନ ମିଡିଆରେ ନୁହେଁ ବରଂ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୁଡ଼ିରେ ଜୋରଦାର ପ୍ରସାରିତ ହେଉଛି । କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ପାକ୍ ରେଞ୍ଜରର୍ସ ମାନେ ଇମ୍ରାନଙ୍କୁ ଉଠାଇ ନେଇ ଗିରଫ କରିଛନ୍ତି । ଏକ ଦୁର୍ନୀତି ମାମଲାରେ ହାଜର ହେବାକୁ ଇସଲାମାବାଦ ହାଇକୋର୍ଟ ପରିସରରେ ପହଞ୍ଚିଥିଲେ ଇମ୍ରାନ ଖାନ । ଅଳ୍ପ କିଛି ସମୟ ପରେ ହୋଇଥାନ୍ତା ଶୁଣାଣି । ହେଲେ ଠିକ୍ ଏହା ପୂର୍ବରୁ ହାଇକୋର୍ଟ ପରିସରରେ ପହଞ୍ଚିଥିଲେ ରେଞ୍ଜର୍ସ । ଇମ୍ରାନଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଆଉ ଏହାକୁ ବିରୋଧ କରିଥିଲେ ଇମ୍ରାନଙ୍କ ସମର୍ଥକ । ଧସ୍ତାଧସ୍ତି ବି ଚାଲିଥିଲା । ଶେଷରେ ରେଞ୍ଜର୍ସମାନେ ଇମ୍ରାନଙ୍କ ଗିରଫ କରି ନେଇଯାଇଛନ୍ତି । ପାକିସ୍ତାନୀ ମୁଦ୍ରାରେ ୫ ହଜାର କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଇମ୍ରାନ କୋର୍ଟରେ ହାଜର ହେବାକୁ ଆସିଥିଲେ । ଏନେଇ ତାଙ୍କୁ ମେ ୧ରେ ଇସଲାମାବାଦ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ । ଇମ୍ରାନଙ୍କ ଗିରଫ ହେବାର ଖବର ପ୍ରସାରିତ ହେବା ପରେ ପାକିସ୍ତାନର ବିଭିନ୍ନ ସହରରେ ପ୍ରତିବାଦ ଦେଖିବାକୁ ମିଳିଛି । ପିଟିଆଇ ସମର୍ଥକମାନେ ରାଜରାସ୍ତାକୁ ଆସି ଶେହବାଜ ସରିଫ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି । ଶେହବାଜ ସରକାର ମିଛ କେସରେ ଇମ୍ରାନ ଖାନଙ୍କୁ ଫସାଇ ଗିରଫ କରିଥିବା ଅଭିଯୋଗ କରିଛନ୍ତି ପିଟିଆଇ ସମର୍ଥକ । ସେପଟେ ପିଟିଆଇ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଇମ୍ରାନଙ୍କ ଗିରଫଦାରି ଗ୍ରହଣୀୟ ନୁହେଁ, ଆଉ ଏହା ବିରୋଧରେ ଜୋରଦାର ଲଢ଼େଇ ହେବ । ଇମ୍ରାନ ଖାନ ସରକାରରୁ ବିଦା ହେବା ପରେ ବାରମ୍ବାର ପାକ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ବିଷ ଉଗାରି ଆସୁଛନ୍ତି । ସେ ବିଦା ହେବା ପଛରେ ଏହି ଦୁଇ ସଂସ୍ଥାର ମୁଖ୍ୟ ଭୂମିକା ଥିବା ଅଭିଯୋଗ କରିଆସୁଛନ୍ତି । ତେଣୁ ଇମ୍ରାନଙ୍କୁ ଗିରଫ ଆଳରେ ଶେହବାଜ ସରକାର ପାକିସ୍ତାନର ପ୍ରକୃତ ଶାସକ ପାକିସ୍ତାନ ସେନାକୁ ମଧ୍ୟ ଖୁସି କରିବାକୁ ଚେଷ୍ଟା କରିଥିବା କୁହାଯାଉଛି ।






