ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ଆଜି ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିବା ସହ ବାପା ଓ ଦୁଇ ପୁଅକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଛିପଡ଼ା ଗ୍ରାମର ଦୁଃଖିଶାମ୍ୟ ସାହୁ ଏବଂ ତାଙ୍କ ପୁଅ ଅଜୟ କୁମାର ସାହୁ, ବିଜୟ କୁମାର ସାହୁ । ପୁଲିସ ସୂଚନାନୁସାରେ, ଏମାନେ ଦେଶୀ ମଦ ପ୍ରସ୍ତୁତ କରିବା ସହ ଏହାକୁ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିଲେ । ଏଥିସହିତ ଘରର ପଛ ପଟେ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଥିଲେ । ଆଜି ସୂଚନା ପାଇଁ ଚଢ଼ାଉ କରାଯିବା ସହ ସେମାନଙ୍କ ନିକଟରୁ ୬୦ ଲିଟର ଦେଶୀ ମଦ ଏବଂ ପ୍ୟାକିଂ ମେଶିନ ଜବତ କରାଯାଇଛି । ଏଥିସହିତ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






