ଭୁବନେଶ୍ୱର (ବାଘୁଆବାର୍ତ୍ତା): ଜେନେରାଲ ବେଡ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁରେ ରହୁଛନ୍ତି । ଫଳରେ ଆଇସିୟୁ ବେଡ ଆବଶ୍ୟକ କରୁଥିବା ଗୁରୁତର ରୋଗୀ ତାହା ପାଇ ନପାରି ଛଟପଟ ହୋଇ ଆଖି ବୁଜୁଛନ୍ତି । ହେଲେ ଏବେ ଆଉ ଦେଖାଦେବନି ଏପରି ସମସ୍ୟା । ଆଇସିୟୁ ବେଡ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯିବ ପ୍ରାଥମିକତା । ଏଥିନିମନ୍ତେ ୪ଟି ସ୍ୱତନ୍ତ୍ର ଟିମ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । କଟକ, ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ । ରାଜ୍ୟରେ ଦୈନିକ ୧୨ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ବି ସେହି ଅନୁପାତରେ ବଢୁଛି । ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଇସିୟୁ ସୁବିଧା ଦରକାର ପଡୁଛି । ହେଲେ ଆବଶ୍ୟକ ଅନୁଯାୟୀ, ଟୁଇନସିଟିରେ ଆଇସିୟୁ ସୁବିଧା ନମିଳିବାରୁ ବହୁ ରୋଗୀ ଆଖି ବୁଜୁଥିବା ଅଭିଯୋଗ ହୋଇ ଆସୁଛି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଟୁଇନସିଟିରେ ୭୯% ଆଇସିୟୁ ବେଡ ପୂରଣ ହୋଇ ସାରିଛି । ମାତ୍ର ୨୧% ଖାଲି ପଡିଛି । ତେଣୁ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲ ଉପରେ ବଢୁଥିବା ଚାପକୁ କମାଇବା ପାଇଁ ଏପରି ରଣନୀତି ପ୍ରସ୍ତୁତ କରାଯାଇଛି । ଏଣିକି କେବଳ ଗୁରୁତର ରୋଗୀ ଯେପରି ଆଇସିୟୁରେ ରହିବେ ତାକୁ ଦିଆଯିବ ପ୍ରାଥମିକତା । ଏଥିନିମନ୍ତେ ଏସସିବିର ଡାକ୍ତରଙ୍କୁ ନେଇ ୪ଟି ସ୍ୱତନ୍ତ୍ର ଟିମ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ ।କେବଳ କଟକ, ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ । ଏହି ସ୍ୱତନ୍ତ୍ର ଟିମ ଟୁଇନସିଟିର ବଭିନ୍ନ ହସ୍ପିଟାଲ ଯାଞ୍ଚ କରି ଡାକ୍ତରଙ୍କ ସହ ଆଲୋଚନା କରିବେ, ରୋଗୀଙ୍କ ସ୍ଥିତି ଦେଖିବେ ।






