ନୟାଗଡ଼, (ବାଘୁଆବାର୍ତ୍ତା): କମ୍ପ୍ୟୁଟର ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ପୁନଃ ଥଇଥାନ କରିବା ପାଇଁ ଆଜି ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନାନୁସାରେ, ରାଜ୍ୟରେ ୪ହଜାର ଶିକ୍ଷକ/ଶିକ୍ଷୟତ୍ରୀମାନେ ସରକାରୀ ବିଦ୍ୟାଳୟ ଗୁଡିକରେ ଚୁକ୍ତି ଭିତ୍ତିକ ଶିକ୍ଷା ଦାନ କରି ଆସୁଥିବା ବେଳେ ତାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଥିଲା । ଯାହାଫଳରେ ରାଜ୍ୟରେ ୪ ହଜାର ଶିକ୍ଷକ/ଶିକ୍ଷୟତ୍ରୀ ମଧ୍ୟରୁ ନୟାଗଡ଼ ଜିଲ୍ଲାର ୧୧୯ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଛଟେଇ ହୋଇଥିଲେ । ଯାହାକୁ ନେଇ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଅନଲାଇନ୍ ଶିକ୍ଷା ପହଞ୍ଚାଇବା ପାଇଁ କମ୍ପ୍ୟୁଟର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ପୁନଃ ଥଇଥାନ କରିବା ପାଇଁ ଦାବି ନେଇ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ଜିଲ୍ଲା ସଭାପତି ତାପସ ରଂଜନ ଦାସ ସୂଚନା ଦେଇଛନ୍ତି ।






