ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁଲିସ ବିଭିନ୍ନ ଅସମାଜିକ କାର୍ଯ୍ୟରେ ସାମିଲ ଥିବା ୪ ଜଣଙ୍କ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ଚୋରା ମୋଟରସାଇକେଲ ଏବଂ ୨ଟି ପାଣି ପମ୍ପ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗମ୍ଭାରିଡିହି ଗ୍ରାମର ବାଦଲ ନାହାକ, ଖଇରପଟି ଗ୍ରାମର ଅର୍ଜ୍ଜୁନ ପରିଡ଼ା, ସୁଶାନ୍ତ କୁମାର ବେହେରା, ପ୍ରଦୀପ ପ୍ରଧାନ । ଏହି ଯୁବକମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଜଣାଯାଇଛି । ନିଶା ସେବନ କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପରେ ସାମିଲ ଥିବା ଏହି ଯୁବକଙ୍କ ଉପରେ ପୁଲିସ ନଜର ରଖିଥିଲା । ସେମାନେ ଚୋରା ମୋଟର ସାଇକେଲ କିଣି ତାକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଥିବା ଜଣାଯାଇଛି । ପୁଲିସ ଗତକାଲି ଚଢ଼ାଉ କରି ସେମାନଙ୍କ ଗିରଫ କରିବା ସହ ୩ଟି ମୋଟର ସାଇକେଲ ଏବଂ ଦୁଇଟି ପାଣି ପମ୍ପ ଜବତ କରିଛି । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।






