ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗୀରରେ ହାଇଦ୍ରାବାଦର ଆନାଲିସିସ ଟିମ୍ । ଜବତ ଟଙ୍କାକୁ ନେଇ ବଲାଙ୍ଗିରରେ ଖୋଲତାଡ କରିବ ଟିମ। ଆନାଲିସସ ୪ ରୁ ୫ ଜଣରହିଥିବା ସୂଚନା । ପ୍ରଥମ ଦିନରେ ୨୫୦କୋଟିରୁ ଅଧିକ ଓ ଗତକାଲି ୫୦କୋଟି ଟଙ୍କା ଜବତ ହୋଇଥିଲା । ବଲାଙ୍ଗୀର ଏସବିଆଇ ଓ ଟିଟିଲାଗଡ଼ ଏସବିଆଇରେ ଗଣତି ଜାରି ରହିବ। ରେଡ଼ର ଚତୁର୍ଥ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ। ସୂଚନା ଥାଉକି, ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଆୟକର ବିଭାଗ ଚଢ଼ଉ ଜାରି ରହିଛି । ଭୁବନେଶ୍ୱର, ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ପୁରୁଣାକଟକ ଓ ରାଞ୍ଚିରେ ଚଢଉ ହୋଇଛି । ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜର ବଣ୍ଟି ସାହୁଙ୍କ ଘରୁ ଆଜି ସନ୍ଧ୍ୟାରେ ପ୍ରାୟ ୫୦ କୋଟି ଟଙ୍କା ଟଙ୍କା ଜବତ ହୋଇଛି । ୧୯ଟି ପେଟିରେ ଏହି ଟଙ୍କା ଥିବା ଜଣାପଡିଛି । ଏମିତିକି ସୁନା ଭର୍ତ୍ତି କିଛି ବ୍ୟାଗ୍ ବି ଏହି ଚଢାଉରେ ଜବତ ହୋଇଛି । ଚଢ଼ଉ ବେଳେ ବୌଦ୍ଧ ଜିଲ୍ଳାରେ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ତିତିରିକଟାସ୍ଥିତ ଡିଷ୍ଟିଲାରୀ ପାଚେରୀ ବାହାରେ ପୁଳାପୁଳା ୫ ଶହ ଟଙ୍କିଆ ନୋଟ୍ ପଡିଥିଲା । କିଛି ଚିରା ଫଟା ନୋଟ୍ ମଧ୍ୟ ଥିଲା । ତା’ଛଡା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଟଙ୍କା ସବୁ ବୋହି ନେଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତୃତୀୟ ଦିନ ଚଢ଼ଉରେ ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୬ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି । ଭାଟି ମ୍ୟାନେଜର ଓ ଜଣେ ବ୍ୟବସାୟୀଙ୍କ ଠାରୁ ଏ ସବୁ ଟଙ୍କା ମିଳିଛି । ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲାରୀ କମ୍ପାନି ୩୫ ଏକରରୁ ଉଦ୍ଧ୍ୱର୍ ଜାଗାରେ ନିର୍ମାଣ ହୋଇଛି । ୨୦୧୯ ମସିହାରେ କମ୍ପାନି ଆରମ୍ଭ ଆରମ୍ଭ ହେବା ଦିନଠୁ କେତେ କାରବାର କରିଛି, କେତେ ଟିକସ ଦେଇଛି ତାହାକୁ ନେଇ ଆୟକର ବିଭାଗ ଖୋଳତାଡ଼ କରୁଛି । ଏହି କମ୍ପାନି ୫ ବର୍ଷରେ ସରକାରୀ ଭାବରେ ୯୩୬୮୦୯୪୭ ବିଏଲ ସ୍ପିରିଟ ଉତ୍ପାଦନକରିଥିବା ବେଳେ ୮ କୋଟି ୮୬ ଲକ୍ଷ ୩୪ ହଜାର ୯୧୭ ଟଙ୍କା ରାଜସ୍ୱ ଆକାରରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗକୁ ପ୍ରଦାନ କରିଛି । ହେଲେ କମ୍ପାନି ଅଧିକ ଉତ୍ପାଦନ କରି କମ୍ ଦେଖାଉଥିବା ଚର୍ଚ୍ଚା ହେଉଛି । ସେପଟେ ବଲାଙ୍ଗିରରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି । ତା’ଛଡା ଆୟକର ଓ ଏସବିଆଇର ୨୫ ଜଣ କର୍ମଚାରୀ ଗତ ଗୁରୁବାର ସକାଳୁ ଟଙ୍କା ଗଣୁଛନ୍ତି । ୧୨ଟି ମେସିନ ସହାୟତାରେ ଟଙ୍କା ଗଣା ଚାଲିଛି । ପ୍ରତି ୫ ଶହ ଟଙ୍କିଆ ହଜାରେଟି ନୋଟକୁ ନେଇ ୫ ଲକ୍ଷ ଟଙ୍କାର ବଣ୍ଡଲ ବନ୍ଧା ଯାଉଛି । ଦୁଇଟି ପର୍ଯ୍ୟାୟରେ ଉଭୟ ଏସବିଆଇ-ଆୟକର ବିଭାଗର ଅଧିକାରୀ ଏହାକୁ ଗଣୁଛନ୍ତି । ଶୁକ୍ରବାର ସଂଧ୍ୟା ସୁଦ୍ଧା ପ୍ରାୟ ୩୮ କୋଟି ଟଙ୍କାର ଗଣତି ସରିଥିବା ଜଣାପଡିଛି । ଅଧିକ କର୍ମଚାରୀ ଓ ୪ଟି ବଡ଼ ମେସିନ ପାଇଁ ଆୟକର ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି । ପୂର୍ବାହ୍ନ ୧୦ଟାରେ ଆୟକର ବିଭାଗ ସୁଦପଡା ଭାଟିରୁ ମ୍ୟାନେଜର ରାଜେଶ ସାହୁ, ବଣ୍ଟି ଓ ତିୱାରି ନାମକ ଜଣେ ଚେକର ବା ମ୍ୟାନେଜରକୁ ଆଣିଥିଲେ । ଦୀର୍ଘ ସମୟ ଧରି ସେମାନଙ୍କୁ ଭିତରେ ରଖି ଟଙ୍କା ଗଣତି ଆରମ୍ଭ କରିବା ପରେ ଟିଟିଲାଗଡ଼ରୁ ରାଜେଶ ସାହୁ ନାମକ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ବଲାଙ୍ଗିରର ଏସବିଆଇ ମୁଖ୍ୟାଳୟକୁ ଅଣାଯାଇଥିଲା । ପ୍ରାୟ ଦେଢ଼ରୁ ଦୁଇଘଣ୍ଟା ଧରି ସେଠାରେ ପଚାରଉଚୁରା ପରେ ତାଙ୍କୁ ସୁଦପଡା ଭାଟିକୁ ନେଇଯାଇଥିଲେ । ସେ ଭାଟିରୁ ୩ଟି ବ୍ୟାଗ୍ ଫୁଲ୍ ଥିବା ଟଙ୍କା ମିଳିଥିଲା । ଦିନତମାମ ସୁଦପଡା ଭାଟି, କ୍ଲବପଡା କାର୍ଯ୍ୟାଳୟ ତଥା ଘର ଏବଂ ଟିଟିଲାଗଡ଼ସ୍ଥିତ ଘର ଓ ଭାଟିରେ ଖୋଳତାଡ଼ ଜାରିରହିଛି । ଏପରିକି ଯେଉଁଭଳି ଗଣତି ଚାଲିଛି, ଏହା ଜାରି ରହିଲେ ଜବତ ଟଙ୍କା ଗଣତି ଆହୁରି ୫ଦିନ ଲାଗିବ ବୋଲି ଆଶଙ୍କା କରାଯାଉଛି । ଏଥିସହ ଏହି ରାକେଟରେ ସଂଶ୍ଲିଷ୍ଟ ଥିବା ନୂଆ ନୂଆ ବେପାରୀ, ମଧ୍ୟସ୍ଥି, ଅଧିକାରୀଙ୍କୁ ମଧ୍ୟ ଆୟକର ବିଭାଗର ସ୍କାନରକୁ ନିଆଗଲାଣି । ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ପଚରାଉଚୁରା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ତା’ଛଡା ଅପରାହ୍ନରେ ଅବାକରୀ କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରାଯାଇଛି । ଅବାକରୀ କର୍ମଚାରୀମାନେ ସବୁ ଜାଣି ତାଙ୍କୁ ସହଯୋଗ କରିଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟ ଆୟକର ବିଭାଗର ପଚରାଉଚରା ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଭୁବନେଶ୍ୱର ପଳାସପଲ୍ଲୀରେ ଥିବା କମ୍ପାନୀର କର୍ପୋରେଟ ଅଫିସ୍ରେ ଆଜି ସକାଳେ ୯ଟାରେ ଆୟକର ବିଭାଗ ପଶିଥିଲା । ୮ ଜଣିଆ ଟିମ୍ ୧୨ ଘଣ୍ଟାରୁ ଅଧିକ ସମୟ ଧରି ସେଠାରେ ଚଢ଼ଉ କରିଥିଲେ । ବହୁ କାଗଜପତ୍ର ଜବତ ହୋଇଥିଲା । ତା’ଛଡା ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜ କିଶୋର ଜୟସ୍ୱାଲଙ୍କ ବାସଭବନ, କାର୍ଯ୍ୟାଳୟ ଓ ମଦଭାଟିରେ ଆୟକର ବିଭାଗ ୭ ଜଣିଆ ଟିମ୍ ଦୁଇ ଦିନ ଧରି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଗୁରୁବାର ମଦ ବ୍ୟବସାୟୀଙ୍କ ଘରୁ ନଗଦ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଜବତ ହୋଇଥିଲା । ତେବେ ଏହି ଟଙ୍କା ସେ କେଉଁଠୁ ଆଣିଲେ ସେ ସମ୍ପର୍କରେ କୌଣସି ତଥ୍ୟ ଆୟକର ବିଭାଗ ଅଧିକାରୀମାନଙ୍କୁ ଦେଇ ପାରିନଥିଲେ । ଫଳରେ ଆୟକର ବିଭାଗ ଅଧିକାରୀମାନେ ଦୁଇଟି ବାକ୍ସରେ ଭର୍ତ୍ତି କରି ସୁନ୍ଦରଗଡ଼ ସହରରେ ଥିବା ଏସ୍ବିଆଇର ମୁଖ୍ୟ ଶାଖାରେ ଜମା କରିଥିବା ଜଣାପଡ଼ିଛି ।





