ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଭିସି ମାଧ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟ ଖୁବଶୀଘ୍ର ତ୍ୱରାନୀତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଏକ ସ୍ୱତନ୍ତ୍ର ଫର୍ମାଟ ମାଧ୍ୟମରେ ଯେପରି ପ୍ରତ୍ୟେକ ଘରର ସମସ୍ତ ତଥ୍ୟ ରହି ପାରିବ ଏହା ଉପରେ ଆଲୋକପାତ କରିଥିଲେ । ବୈଠକରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ.ଡି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ମେ ୨୪ତାରିଖରୁ ଆରମ୍ଭ କରି ଅଗଷ୍ଟ ୨୩ତାରିଖ ଭିତରେ ସମସ୍ତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ଏହି ସର୍ଭେକ୍ଷଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଥଣ୍ଡା, କାଶ, ସର୍ଦ୍ଦି ଓ କୋଭିଡ୍ ସଂକ୍ରମଣ ସମ୍ବନ୍ଧିୟ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏକ ସ୍ୱତନ୍ତ୍ର ଫର୍ମାଟ ତିଆରି କରାଯାଇ ଅଙ୍ଗନବାଡ଼ି ଓ ଆଶା କର୍ମୀମାନଙ୍କୁ ଦିଆଯାଇଛି । ଉକ୍ତ ଫର୍ମାଟରେ ଅନ୍ୟାନ୍ୟ ରୋଗ ଯଥା- ମଧୂମେହ, ଉଚ୍ଚ ରକ୍ତଚାପ, ଯକ୍ଷ୍ମା, ଲେପ୍ରୋସୀ ଓ ଅନ୍ୟାନ୍ୟ ରୋଗ ସମ୍ବନ୍ଧରେ ସୂଚନା ରହିବ । କୋଭିଡ୍ ଜନିତ ମୃତ୍ୟୁ ଓ ସେଥି ଯୋଗୁଁ କ୍ଷତି ଗ୍ରସ୍ତ ହୋଇଥିବା ଅନାଥ ଶିଶୁ, ଏକକ ଅଭିଭାବକ ଥିବା ଶିଶୁ ଓ ବିଧବା ମହିଳାଙ୍କ ତଥ୍ୟ ଏହି ସର୍ଭେରେ ରହିବ । ଅଙ୍ଗନବାଡ଼ି କର୍ମୀମାନଙ୍କୁ ଜିଲ୍ଲାସ୍ତରରେ ଆଇସିଡିଏସ୍ ପ୍ରକଳ୍ପ ଅଧିକାରୀ ଓ ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।






