କଟକ, (ବାଘୁଆବାର୍ତ୍ତା): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ଲାଗି ପ୍ରସ୍ତୁତି ଜୋର୍ଦାର କରାଯାଇଛି । ୧୧ତାରିଖରେ ବାରବାଟୀ ଷ୍ଟାଡିୟମ୍ ଠାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ତେବେ ସେହିଦିନ ସକାଳୁ କଟକକୁ ହକି ବିଶ୍ୱକପ୍ ଟ୍ରଫି ଆସିବ ବୋଲି ଜଣାପଡିଛି । ଜଗତସିଂହପୁର ଜିଲ୍ଲାରୁ ବିଶ୍ୱକପ୍ ବାହାରିବା ପରେ କନ୍ଦରପୁର ପାଖରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯିବ । ପରେ ଶୋଭାଯାତ୍ରାରେ କଟକ ସହର ବୁଲାଯାଇ ଜବାହାରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍କୁ ଅଣାଯିବାକୁ ଯୋଜନା କରାଯାଇଛି । ସେଠାରେ ଏକ ସାଧାରଣ ସଭା ଆୟୋଜନ କରାଯିବ । ଅପରାହ୍ନ ୩ଟାରୁ ଏହା ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବର ଶୋଭା ବଢାଇବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମ୍ରେ ଉଦ୍ଘାଟନୀ ଉତ୍ସବ ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି । ପ୍ରାୟ ୪୦ହଜାର ଦର୍ଶକ ଉତ୍ସବରେ ଉପସ୍ଥିତ ରହିବେ । ଏଥିପାଇଁ ୩ ହଜାର ଭିଆଇପି ପାସ୍ ବ୍ୟବସ୍ଥା ରହିଛି । ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ଷ୍ଟାର୍ ରଣବୀର ସିଂ ଏବଂ ଦିଶା ପାଟାନି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଯଦିଓ ଏ ସମ୍ପର୍କରେ ସରକାରୀ ସ୍ତରରେ ସୂଚନା ହସ୍ତଗତ ହୋଇନାହିଁ ହକି ବିଶ୍ୱକପ୍ ଲାଗି କଟକରେ ଟ୍ରଫି ଆସିବା ଦିନ ସିଟି ଫେଷ୍ଟିଭାଲ୍ ଆୟୋଜିତ ହେବାର ରହିଛି । ବିଭିନ୍ନ ଛକ, ବଜାରରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ବିଶାଳ ଶୋଭାଯାତ୍ରା ଆୟୋଜିତ ହେବ । ପଟୁଆରରେ ସହର ବୁଲାଯାଇ ଟ୍ରଫିକୁ ଇନ୍ଡୋର ଷ୍ଟାଡିୟମ୍ ପର୍ୟ୍ୟନ୍ତ ଅଣାଯିବ। ଏଥିରେ ବିଭିନ୍ନ ସ୍କୁଲ୍, କଲେଜ ଛାତ୍ରଛାତ୍ରୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ବିଶ୍ୱକପ୍ ହକି-୨୦୨୩ ଉଦ୍ଘାଟନୀ ଉତ୍ସବ ପାଇଁ କଟକ ସହରର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଜୋର୍ସୋର୍ରେ ଚାଲିଛି । ଶିଖରପୁରଠାରୁ ବିଡାନାସୀ ପର୍ୟ୍ୟନ୍ତ ଓ ଗଡଗଡିଆ ଘାଟ ନିକଟରୁ ବାରବାଟୀ ଷ୍ଟାଡିୟମ ପର୍ୟ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ସୌନ୍ଦର୍ୟ୍ୟକରଣ କରାଯାଉଛି । ଏତଦ୍ବ୍ୟତୀତ ସହରକୁ ସଂଯୋଗ କରୁଥିବା ନଦୀବନ୍ଧ ବାଡ, ଫ୍ଲାଏ ଓଭର କାନ୍ଥରେ ହକି ଓ ସହରର ସଂସ୍କୃତି ଉପରେ ଆଧାରିତ ବିଷୟବସ୍ତୁକୁ ନେଇ ଚିତ୍ରକଳା କାର୍ୟ୍ୟ ଆରମ୍ଭ ହୋଇଛି ।






