Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହକି ବିଶ୍ୱକପ, ଉତ୍ସବମୁଖର ସୁନ୍ଦରଗଡ଼ ଜିଲ୍ଲା

by ସଞ୍ଜୟ ସ୍ୱାଇଁ
December 7, 2022
in Sports, State
ହକି ବିଶ୍ୱକପ, ଉତ୍ସବମୁଖର ସୁନ୍ଦରଗଡ଼ ଜିଲ୍ଲା
24
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ହକି ବିଶ୍ୱକପ ପାଇଁ ଉତ୍ସବମୁଖର ହୋଇଉଠିଛି ସୁନ୍ଦରଗଡ଼ ଜିଲ୍ଲା । ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ଆଗେଇ ଆସିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକା ସାଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପରବର୍ତ୍ତୀ ପର‌୍ୟ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ। ହକି ପ୍ରତିଯୋଗିତା ଲାଗି ୮୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୧ ମାସ ଧରି ଚାଲିବ ଏହି ପ୍ରତିଯୋଗିତା। ମଙ୍ଗଳବାର ଦିନ ସଉନାମରା ହାଇସ୍କୁଲ ପଡ଼ିଆଠାରେ ଏହି ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ସଉନାମରା ଗାଁର ପୁଅ ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଗାଁର ଝିଅ ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ହକି ବିଶ୍ୱକପକୁ ସ୍ୱାଗତ କରିବା ପାଇଁ ଜିଲ୍ଲାବ୍ୟାପି ବ୍ୟାପକ କାର‌୍ୟ୍ୟକ୍ରମ କରାଯାଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର‌୍ୟ୍ୟନ୍ତ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ସ୍କୁଲ, କଲେଜ ସ୍ତରରେ ମଧ୍ୟ ବିଭିନ୍ନ ରଚନାତ୍ମକ କାର‌୍ୟ୍ୟକ୍ରମ କରାଯିବ। ଜନସାଧାରଣଙ୍କ ସହଯୋଗରେ ବିଶ୍ୱକପକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ଜିଲ୍ଲାବ୍ୟାପି ହେଉଥିବା ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଡ଼ି ହେବା ଲାଗି ଜିଲ୍ଲାପାଳ ଏହି ଅବସରରେ ଅନୁରୋଧ କରିଛନ୍ତି। ସଉନାମରାଠାରେ ଅନୁଷ୍ଠିତ ଉତ୍ସବରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର‌୍ୟ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଯୋଗ ଦେଇଥିଲେ। ‘‘ମୁଁ ଆଜି ଯେଉଁ ବିଶେଷ ପରିଚୟ ପାଇଛି ତାହା କେବଳ ମୋ’ ଜନ୍ମ ମାଟି ସଉନାମରା ପାଇଁ। ଏଇ ଗାଁ ପଡ଼ିଆରେ ହକି ଖେଳି ଦିନେ ମୁଁ ଭାରତୀୟ ଟିମରେ ସାମିଲ ହୋଇପାରିଥିଲି। ଏବେ ସଉନାମରା ସହ ଜିଲ୍ଲାର ଅନ୍ୟ ଗାଁର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ସୁନ୍ଦରଗଡ଼ ଏବଂ ଓଡ଼ିଶା ପାଇଁ ଗୌରବ ଆଣିପାରିଛନ୍ତି’’, ଏହି ଅବସରରେ କହିଛନ୍ତି ଦିଲ୍ଲୀପ ତିର୍କୀ। ଏହି ଅବସରରେ ଅତିଥିମାନେ ହକି ଷ୍ଟିକରେ ବଲକୁ ମାରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ।

ପରେ ପରେ ମହିଳା ଓ ପୁରୁଷ ଉଭୟ ବର୍ଗରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଆଦିବାସୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ତା’ଛଡ଼ା ‘ହକି ଭିଲେଜ’ ଭାବେ ପରିଚିତ ସଉନାମରା ଗାଁର କ୍ରୀଡ଼ା ଇତିହାସ ଉପରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ଏକ୍କା ଓ ବେଲମତି ଧରୁଆ, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷ କୁଞ୍ଜଲତା ଭିତିରିଆ, ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ, ସଉନାମରା ସରପଞ୍ଚ ଚୁଲୁ ବାର୍ଲାଙ୍କ ସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ହକି ବିଶ୍ୱକପ ପାଇଁ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ଛାତ୍ରଛାତ୍ରୀଙ୍କ ଭିତରେ ବ୍ୟାଡମିଣ୍ଟନ, ଭଲିବଲ, କବାଡ଼ି, ଖୋଖୋ, ହକି ଏବଂ ଫୁଟବଲ ପ୍ରତିଯୋଗିତା କରାଯାଇ ଜିଲ୍ଲାବ୍ୟାପି ଏକ କ୍ରୀଡ଼ାର ପରିବେଶ ସୃଷ୍ଟି କରାଯିବ। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ସର୍ଜନାତ୍ମକ ପ୍ରତିଯୋଗିତା ମଧ୍ୟ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଆଦିବାସୀ ନୃତ୍ୟ, ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ଦଳ ରହିଛନ୍ତି। ହକି ବିଶ୍ୱକପ ଅବସରରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ। ଏହି ସାଂସ୍କୃତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!