ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ନୟାଗଡ଼ ଜିଲ୍ଲାରେ ପ୍ରବେଶ କରିଛି ବିଶ୍ୱ କପ ହକି । ୩୦ ଜିଲ୍ଲା ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ପ୍ରଥମ କରି ପ୍ରବେଶ କରିଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି । ପୁରୁଷ ବିଶ୍ୱ କପ ହକିକୁ ସ୍ୱାଗତ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରୁ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମାରାଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଉତୋଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ନୟାଗଡ଼ କଲେଜର ଅଧ୍ୟକ୍ଷ ସୁରେଷ କୁମାର ପ୍ରଧାନ ଓ ସହାୟକ ଜିଲ୍ଲାପାଳ ଶୁଭସ୍ନିଗ୍ଧା ସେଠୀ ଉପସ୍ଥିତ ରହିଥିଲେ । ପୁରୁଷ ବିଶ୍ୱ କପ ହକିକୁ ନୟାଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପାଖରେ ଜିଲ୍ଲାପାଳ ଟ୍ରଫିକୁ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ତହସିଲଦାର ଭିକାରି ସାହୁ, ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ମାସ୍କର ସହ ବିଶ୍ୱକପ ହକିକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଜଗନ୍ନାଥ ମନ୍ଦିର ନିକଟକୁ ନିଆଯାଇଥିଲା । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ପ୍ରତିନିଧି ବାଦଲ ମହାନ୍ତି ଓ ଯୋଗେନ୍ଦ୍ର ମାଝି ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହି, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ପୌରାଞ୍ଚଳର ପୌରାଧ୍ୟକ୍ଷା ନିରୁପମା ଖଟେଇ ଓ ସହାୟକ ଜିଲ୍ଲାପାଳ ଶୁଭସ୍ନିଗ୍ଧା ସେଠୀ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ତାଙ୍କ ଅଭିଭାଷଣରେ ନୟାଗଡ଼ ଜିଲ୍ଲାରେ ପ୍ରଥମ କରି ଏହି ପୁରୁଷ ବିଶ୍ୱକପ ହକି ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ଜଣାଇଥିଲେ ।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହକି ପୁନର୍ଜିବିତ ହୋଇପାରିଛି । ହକି ଏକ ଗୌରବ । ଭାରତୀୟ ଦଳରେ ୨ ଜର ଓଡ଼ିଆ ଖେଳାଳୀ ସାମିଲ ହୋଇଥିବାରୁ ଏହା ଆମ ପାଇଁ ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଥିଲେ । ପୁରୁଷ ବିଶ୍ୱକପ ହକି ଦ୍ୱିତୀୟ ଥର ପାଇଁ ଓଡିଶାରେ ଆୟୋଜନ କରାଯାଉଛି । ଆସନ୍ତା ଜାନୁଆରୀ ୧୩ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୁରୁଷ ବିଶ୍ୱକପ ହକିକୁ ଡିସେମ୍ବର ୭ ତାରଖରୁ ସାରା ଭାରତର ବିଭିନ୍ନ ରାଜ୍ୟ ପରିଭ୍ରମଣ କରି ଗତ କାଲି ଓଡିଶାରେ ପହଞ୍ଚିଥିଲା । ଓଡିଶାରେ ପ୍ରବେଶ କରିବା ପରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ନୟାଗଡ଼ରେ ପ୍ରବେଶ କରିଥିବାରୁ ନୟାଗଡ଼ ବାସୀ ତଥା ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ ।

ଉକ୍ତ ସଭାରେ ମାରାଥନ ପ୍ରତିଯୋଗିତାରେ ବାଳିକା ବିଭାଗରେ ପ୍ରଥମ ସ୍ଥାନ କରିଥିବା ବୈରାଗି ସାସମଲ, ଦ୍ୱିତୀୟ ସ୍ଥାନ କରିଥିବା ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତୃତୀୟ ସ୍ଥାନ ଗ୍ରହଣ କରିଥିବା ରୋଜାଲିନ ନାୟକଙ୍କୁ ଅତିଥି ମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଭାବେ ବଙ୍କଳ ବିଭାଗର ଟିକନ ନାୟକ ପ୍ରଥମ, ନିରଞ୍ଜନ ସାହୁ ଦ୍ୱିତୀୟ ଓ ଏସକେ ଆଫ୍ରିଦ ତୃତୀୟ ସ୍ଥାନ ଗ୍ରହଣ କରିଥିବାରୁ ମୁଖ୍ୟ ଅତିଥି ମାନଙ୍କ ପକ୍ଷରୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ରକ ଡ୍ୟାନ୍ସ ଗୃପ ପକ୍ଷରୁ ଏକ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପୁରୁଷ ବିଶ୍ୱକପ ହକିକୁ ଖଣ୍ଡପଡ଼ା ରାସ୍ତା, ଓଡ଼ଗାଁ ରାସ୍ତା ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ସମାପ୍ତ ପରେ ଉକ୍ତ ଟ୍ରଫିଟି ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଗ୍ରସ୍ତ କରିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ ।






