ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ଟିମ୍ ଇତିହାସ ରଚିଛି । ଗୁରୁବାର ଖେଳାଯାଇଥିବା ଜର୍ମାନୀ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆ ୫-୪ ଗୋଲରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି। ଏହା ସହିତ ଦେଶବାସୀଙ୍କର ହୃଦୟ ଜିଣିନେଇଛି ଭାରତୀୟ ହକି ଟିମ୍। ଏହି ଐତିହାସିକ ସଫଳତାକୁ ନେଇ ଭାରତୀୟ ଦଳକୁ ଚାରିଆଡୁ ମିଳିବାରେ ଲାଗିଛି ପ୍ରଶଂସା ଓ ଶୁଭେଚ୍ଛାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ, ଖେଳାଳିମାନେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତୀୟ ହକି ଟିମକୁ ଅଭିନନ୍ଦନ । ଦଳ ଜବରଦସ୍ତ ବିଜୟ ହାସଲ କରି ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଏହା ହେଉଛି ଐତିହାସିକ ବିଜୟ । ଏହି ବିଜୟ ଆଗାମୀ ପିଢିର ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ’






