ନୟାଗଡ଼, (ବାଘୁଆବାର୍ତ୍ତା): ଭୟଙ୍କର ହିମସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବା ଜଣାପଡିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଗ୍ଲାସିୟର ଫାଟିବା ପରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଫଳରେ ବର୍ଡର ରୋଡ ଅର୍ଗାନାଇଜେସନ(ବିଆରଓ) ଗୋଟିଏ କ୍ୟାମ୍ପ ଓ ଦୁଇଟି ଶ୍ରମିକ କ୍ୟାମ୍ପ ପ୍ରଭାବିତ ହୋଇଥିଲା । ସୀମାନ୍ତ ଅଞ୍ଚଳରେ କ୍ଷତିଗ୍ରସ୍ତ ରୋଡ ମରାମତି କାମରେ ବିଆରଓ ଯବାନ ନିୟୋଜିତ ଥିଲେ । ଘଟଣା ପରେ ତୁରନ୍ତ ଭାରତୀୟ ସ୍ଥଳସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରୁ ଆର୍ମି କ୍ୟାମ୍ପ ମାତ୍ର ୩ କି.ମି. ଦୂରରେ ରହିଥିଲେ ହେଁ ଖରାପ ପାଗ ଯୋଗୁ ସେମାନେ ଆଗକୁ ବଢ଼ିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବେ ବି ଆର୍ମି ଓ ଏସଡିଆର ଏଫ ପକ୍ଷରୁ ହିମସ୍ଖଳନ ଘଟିଥିôବା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି । ଭୂସ୍ଖଳନ ଯୋଗୁ ଅତିକମରେ ୫ଟି ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗତକାଲି ସନ୍ଧ୍ୟାରୁ ଯୋଶୀମଠର ବିଆରଟିଏଫ ଯବାନମାନେ ଭାପକୁଣ୍ଡରୁ ସୁମନା ଯାଏ ରାସ୍ତାକୁ ସଫା କରିବାରେ ଲାଗିଛନ୍ତି ସଂପୂର୍ଣ୍ଣ ଯୋଗାଯୋଗ ପାଇଁ ଆହୁରି ୬ ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ଜଣାପଡ଼ିଛି । ଶୁକ୍ରବାର ନୀତି ଉପତ୍ୟକାର ସୁମନା ଅଞ୍ଚଳରେ ଘଟିଥିବା ହିମସ୍ଖଳନ ବିପର୍ଯ୍ୟୟକୁ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂହ ରାୱତ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି । ସ୍ଥିତିକୁ ଯାଞ୍ଚକରିବା ପରେ ସେ କହିଛନ୍ତି, ବିଆରଓ ନିରବଛିନ୍ନ ଭାବେ କାର୍ଯ୍ୟ କରୁଛି । ହେଲେ ଯୋଗାଯୋଗ ସଂପୂର୍ଣ୍ଣ ଛିନ୍ନ ହୋଇ ଯାଇଛି । ତୁଷାରପାତ ଯୋଗୁ ଅଧିକାଂଶ ରାସ୍ତା ବନ୍ଦ ହୋଇ ପଡିଛି ।





