କଟକ, (ବାଘୁଆବାର୍ତ୍ତା): ଶପଥ ଗ୍ରହଣ କଲେ ହାଇକୋର୍ଟର ୩ ନୂଆ ବିଚାରପତି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ, ଜଷ୍ଟିସ ଶଶି କାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ନୂଆ କନଫରେନ୍ସ ହଲ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ତିନି ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୭ରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ, ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ରର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ମହେଶ୍ବର ସାହୁ ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ମେନକା ପାଣିଙ୍କ ପୁଅ ହେଉଛନ୍ତି ମୃଗାଙ୍କ ଶେଖର ସାହୁ । ସେ ୧୯୭୧ ସେପ୍ଟେମ୍ବର ୭ରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ(ଏଏସସି) ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏଏସସି ଭାବେ କାର୍ୟ୍ୟ କରୁଥିବା ବେଳେ ୨୦୧୪ରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ ନିଯୁକ୍ତି ମିଳିଥିଲା। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ। ଏଜିଏ ଭାବେ କାର୍ୟ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା। ୧୯୭୦, ଅକ୍ଟୋବର ୨୫ରେ ରାଧାକ୍ରିଷ୍ଣ ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ। ୧୯୯୯ ସେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ସିଭିଲ ଜଜ୍ ପଦବିରୁ ଇସ୍ତଫା ଦେଇ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ୟ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ୨୦୦୯, ଡିସେମ୍ବର ୨୮ରେ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରେ ଜିଲ୍ଲା ଜଜ୍, ହାଇକୋର୍ଟରେ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ୟ୍ୟ କରିବା ପରେ ସେ ଆଇନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଶ୍ରୀ ପଟ୍ଟନାୟକ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ୟ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା। ସେହିଭଳି ଭାବେ ୧୯୬୭, ଜାନୁଆରି ୧୭ରେ ଶଶିକାନ୍ତ ମିଶ୍ର ଜନ୍ମ ଗ୍ରହଣ କରିଥିଲେ। ସେ ୨୦୦୯, ଡିସେମ୍ବର ୨୮ରେ ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ, କେନ୍ଦୁଝର ଜିଲ୍ଲା ଜଜ୍ ଓ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ୟ୍ୟ କରିବା ପରେ ଗଞ୍ଜାମ ଜିଲ୍ଲା ଜଜ୍ ଭାବେ ସେ ନିଯୁକ୍ତି ପାଇଥିଲେ। ଗଞ୍ଜାମ ଜିଲ୍ଲା ଜଜ୍ ଭାବେ ଶ୍ରୀ ମିଶ୍ର କାର୍ୟ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।






