କଟକ, (ବାଘୁଆବାର୍ତ୍ତା): ଆଇଆରବି ବାଟାଲିୟନ୍ କନ୍ଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ଗୁରୁବାର ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ଯାଏ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଯେଉଁ ନିର୍ଦେଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଏକ ଆଦେଶ ଦାୟର ହୋଇଥିଲା । ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । କୋଭିଡ୍ କାରଣରୁ ପ୍ରାୟ ୩ ବର୍ଷ ଯାଏଁ ଆଇଆରବି କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଏହି ସମୟ ଭିତରେ କିଛି ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା । କରୋନା ଯିବା ପରେ ପ୍ରାୟ ୧୮ ଶହ ଆଇଆରବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସେଥିରେ ବୟସାଧିକ କାରଣରୁ ବାଦ ପଡ଼ିଥିବା କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ଲାଗି ଅନୁମତି ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି, ଇଣ୍ଟରଭ୍ୟୁରେ ସାମିଲ ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାରି ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଓଭର ଏଜ୍ ପ୍ରାର୍ଥୀମାନେ ମେଧା ତାଲିକାରୁ ବାଦ ପାଇଥିବାରୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଜାନୁଆୀ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।