କଟକ, (ବାଘୁଆବାର୍ତ୍ତା): ସମୀକ୍ଷା ନକରି ନିର୍ଦ୍ଧାରିତ ୯୦ଦିନ ସମୟ ବାହାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଭିଏଲଡବ୍ଲୁଙ୍କୁ ନିଲମ୍ବନ କରିବା ଜିଲ୍ଲାପାଳଙ୍କ କ୍ଷମତା ପରିସରଭୁକ୍ତ ନୁହେଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗ୍ରାମପଞ୍ଚାୟତର କ୍ଷମତା ପରିସରଭୁକ୍ତ । ଜିଲ୍ଲାପାଳଙ୍କ ଭଳି ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ନିକଟରେ ମଧ୍ୟ ଏହି କ୍ଷମତା ନାହିଁ । ସେହିପରି ନିଲମ୍ବନ ଆଦେଶ ଅନିର୍ଦ୍ଦିଷ୍ଟ ସମୟ ପାଇଁ ହୋଇପାରିବ ନାହିଁ । ସୁନୀଲ ପରିଡ଼ାଙ୍କ ଆବେଦନର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏଥିସହ ଆବେଦନକାରୀ ତଥା ଢେଙ୍କାନାଳ ଜିଲ୍ଲା ସଙ୍କୁଲେଇ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ପରିଡ଼ାଙ୍କୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଗତ ୨୦୨୪, ଫେବ୍ରୁଆରୀ ୮ର ନିଲମ୍ବନ ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ଆବେଦନକାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଗତ ୨୦୨୪ ଫେବ୍ରୁଆରୀ ୭ରେ ପୁରୀ ଯିବା ଲାଗି ଆବେଦନକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଢେଙ୍କାନାଳ ସଦର ବିଡ଼ିଓ ଦାୟିତ୍ୱ ଦେଇଥିଲେ।ଶ୍ରଦ୍ଧାଳୁଙ୍କୁ ନେଇ ଯିବା ସମୟରେ ବିଳମ୍ବରେ ପହଞ୍ଚିବା ଓ କାର୍ଯ୍ୟରେ ବିଶୃଙ୍ଖଳା କରିଥିଲେ ବୋଲି ଆବେଦନକାରୀଙ୍କ ବିରୋଧରେ ଅଭିଯୋଗ ରହିଥିଲା।ସଦର ବିଡିଓଙ୍କ ରିପୋର୍ଟ ଆଧାରରେ ଢେଙ୍କାନାଳ ଜିଲ୍ଲାପାଳ ତାଙ୍କୁ ଫେବୃଆରୀ ୯ତାରିଖରେ ନିଲମ୍ବନ କରିଥିଲେ। ନିଲମ୍ବନ ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଲମ୍ବନ ଆଦେଶ ସମୀକ୍ଷା କରାନଯାଇ ୯୦ଦିନ ପରେ ମଧ୍ୟ ଏହା ବେଆଇନ ଭାବେ ଜାରି ରଖାଯାଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।