ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି ଜିଲ୍ଲାରେ ଋଷିକୁଲ୍ୟା ଓ ବାଘୁଆ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ବୁଗୁଡା ଜଳ ସେଚନ ବିଭାଗ ପକ୍ଷରୁ ବାଘୁଆ ନଦୀ ତଟରେ ଥିବା ଗାଁଗୁଡିକରେ ଲୋକେ ସତର୍କ ରହିବା ପାଇଁ ମାଇକ ମାଧ୍ୟମରେ ପ୍ରଚାର କରାଯାଇଛି । ସେହିପରି ଗୋପାଳପୁରରେ ଲୋକଙ୍କୁ ସତର୍କ ରହିବା ପାଇଁ ମାଇକ୍ ମାଧ୍ୟମରେ ପ୍ରଚାର କରି ସଚେତନ କରାଯାଇଛି। ବର୍ତ୍ତମାନ ବାଘୁଆ ଜଳଭଣ୍ତାରରେ ୬୦% ଜଳ ଗଛିତ ରହିଥିବା ବେଳେ ଜଳଭଣ୍ତାରରେ ୮୦% ଜଳ ହେଲେ ଜଳ ସମ୍ପଦ ବିଭାଗ ଜଳଭଣ୍ତାରରୁ ଜଳ ନିଷ୍କାସନ କରିବା ନିମନ୍ତେ ଘୋଷଣା କରିଛନ୍ତି । ମଝିରେ ମଝିରେ ଝିପିଝିପି ବର୍ଷା ହେଉଥିଉଥିବା ବେଳେ କୋହଲିଆ ପାଗ ରହିଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳିନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ଯେକୌଣସି ସମାସ୍ୟାର ସମାଧାନ ପାଇଁ ୦୬୮୦ ୨୨୨୭୦୦୦ ଓ ୯୧୭୭୫୨୦୫୫୫୬୭ ଜରୁରୀକାଳିନ ହେଲପ୍ଲାଇନ୍ ନମ୍ବର ଜାରି କରିଛନ୍ତି ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ । ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବାତ୍ୟା ଗୁଲାବ୍ ନେଇ ୮୧୧୭୦୫୫୯୦୦ ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି।






