ନୟାଗଡ଼,(ବାଘୁଆବାର୍ତ୍ତା): ହେଲମେଟ ନାହିଁ ମାନେ କାର୍ଯ୍ୟାଳୟକୁ ଆସିବା ମନା । ନୟାଗଡ଼ ସଦରମହକୁମାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କିଛିଦିନ ତଳେ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀମାନଙ୍କୁ ରୋକଠୋକ ଭାବେ ଉପଜିଲ୍ଲାପାଳ ତଥା ଆଂଚଳିକ ପରିବହନ ଅଧିକାରୀ ହେଲମେଟ ନପିନ୍ଧିଥିବା କାରଣରୁ ଘରକୁ ପଠାଇ ଦେଇଛନ୍ତି । ହେଲେମେଟ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ତାଗିଦ କରିବା ସହ ଏକ ସଚେତନତା ସୃଷ୍ଟି କରିଛନ୍ତି । ସୂଚନାନୁସାରେ, ଆଜି ସକାଳ ଦଶ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିଲ୍ଲାପାଳ କାର୍ଯ୍ୟାଳୟ ଫାଟକ ନିକଟରେ କାର୍ଯ୍ୟାଳୟକୁ ଆସୁଥିବା କିଛି କର୍ମଚାରୀ ଏବଂ ସାଧାରଣଲୋକଙ୍କୁ ଅଟକାଇ ଥିଲେ । କିଛି ସରକାରୀ କର୍ମଚାରୀ ହେଲେମେଟ ପିନ୍ଧି ନଆସିଥିବାରୁ ସେମାନଙ୍କୁ ତାଗିଦ୍ କରିବା ସହିତ ଘରୁ ଯାଇ ପୁଣିଥରେ ହେଲମେଟ ପିନ୍ଧି ଆସିବା ପାଇଁ ପଠାଇ ଦେଇଥିଲେ । ଏପରିକି ଏହାକୁ ଅମାନ୍ୟ କଲେ କାର୍ଯ୍ୟରେ ଅନୁପସ୍ଥିତ ଦର୍ଶାଯିବ ବୋଲି ତାଗିଦ କରାଯାଇଛି ।






