ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମଣିଷକୁ ମାରିପାରିବନି ହୃହଘାତ ! ମଣିଷ ସମାଜ ପାଇଁ ଏବେ ହୃଦଘାତ (ହାର୍ଟ ଆଟାକ୍) ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏଥିରୁ ରକ୍ଷା କରିବ ଏକ ଘାତକ ବୁଢ଼ିଆଣୀର ବିଷ। ବିଲୁପ୍ତପ୍ରାୟ ପ୍ରଜାତିର ଏହି ବୁଢ଼ିଆଣୀର ବିଷକୁ ଔଷଧ ରୂପେ ବ୍ୟବହାର କରିବା ପାଇଁ ବୈଜ୍ଞାନିକ ଗବେଷଣା ଆରମ୍ଭ କରିଛନ୍ତି। ଜୀବନ ରକ୍ଷକ ଚିକିତ୍ସା ପଦ୍ଧତି ବୈଜ୍ଞାନିକମାନେ ଖୋଜି ପାଇଥିବା ବେଳେ ଖୁବଶୀଘ୍ର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇପାରେ କୁହାଯାଉଛି। ଓ୍ବାୟନ୍ ନ୍ୟୁଜ୍ରେ ପ୍ରକାଶିତ ଏକ ଖବର ଅନୁସାରେ, ଫନେଲ-ଓ୍ବେବ୍ ପ୍ରଜାତିର ଏହି ଘାତକ ବୁଢ଼ିଆଣୀ ବିଷକୁ ଔଷଧରେ ପରିଣତ କରିବା ସହ ହ୍ୟୁମାନ ଟ୍ରାଏଲ୍ କରାଯିବ ବୋଲି ଜଣାପଡ଼ିଛି। ବୁଢ଼ିଆଣୀର ବିଷ ହାର୍ଟ ଆଟାକ୍ ପରେ ଶରୀରରୁ ଯାଉଥିବା ମୃତ୍ୟୁ ସଂକେତକୁ ରୋକିଦେଇ ପାରୁଛି ବୋଲି ଶୁକ୍ରବାର କ୍ବିନ୍ସଲାଣ୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ନାଥନ ପାଲପନ୍ତ କହିଛନ୍ତି। ‘ଡେଥ ସିଗନାଲ୍’ ମସ୍ତିଷ୍କରେ ପହଞ୍ଚିବା ପରେ ସେଲ (କୋଷ) ମରିବା ଆରମ୍ଭ ହୁଏ ବୋଲି ସେ କହିଛନ୍ତି। ବିଶେଷ କରି ହୃଦଘାତ ହେଲେ ହୃଦୟକୁ ରକ୍ତ ପ୍ରବାହ କମିବା ସହ ହୃଦୟ ମାଂସପେଶୀରେ ଅମ୍ଳଜାନ ମାତ୍ରା କମ୍ ହୋଇଥାଏ । ଅକ୍ସିଜେନ ମାତ୍ରା କମିବା ପରେ କୋଷ ବାତାବରଣ ଏସିଡିକ୍ ହୋଇଯାଏ। ଫଳରେ ସେଗୁଡ଼ିକ ମିଳିତ ଭାବେ ହାର୍ଟ ସେଲ୍ ମରିବାକୁ ଏକ ସନ୍ଦେଶ ପଠାନ୍ତି ବୋଲି ପାଲପନ୍ତ କହିଛନ୍ତି। ଆଜି ପର୍ୟ୍ୟନ୍ତ ଏହି ଡେଥ ସିଗନାଲ୍ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ତେଣୁ ବିଶ୍ବରେ ହୃଦ ରୋଗରେ ଅଧିକ ଜୀବନ ଯାଉଛି। କିନ୍ତୁ ପାଲପନ୍ତଙ୍କ ମତରେ ତାଙ୍କ ଟିମ୍ ବୁଢ଼ିଆଣୀ ବିଷରୁ ମିଳିଥିବା ଏକ ପ୍ରୋଟିନ୍ ସାହାଯ୍ୟରେ ଏହି ଡେଥ ସିଗନାଲ୍ ରୋକିବାରେ ସଫଳ ହୋଇଛନ୍ତି। ତେଣୁ ଏହାକୁ ଏକ ଔଷଧରେ ପରିଣତ କରିପାରିଲେ ହୃଦ ରୋଗ କମ୍ ହେବା ସହ ଅନେକ ଜୀବନ ବଞ୍ଚାଇ ହେବ ବୋଲି ବୈଜ୍ଞାନିକ ନାଥନ ପାଲପନ୍ତ କହିଛନ୍ତି। ବୈଜ୍ଞାନିକଙ୍କ ଏହି ଟିମ୍ ଆଗାମୀ ୨-୩ ବର୍ଷରେ ଉଭୟ ହୃଦ ଜନିତ ରୋଗ ଏବଂ ହୃଦଘାତ ପାଇଁ ଏହି ଔଷଧକୁ ମଣିଷ ଉପରେ ଟ୍ରାଏଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।





