ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ପୁଅର ଗିରଫ ଖବର ଶୁଣି ହୃଦଘାତରେ ଚାଲିଗଲା ମା’ ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାକାଳପଡା ବ୍ଲକ ବିଜୟନଗର ଗ୍ରାମରେ। ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସାହୁପଡା ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣାରେ ନାବାଳକ ଓ ତାର ବାପାକୁ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ପରେ ଦୁଇ ସରପଂଚଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କେନ୍ଦ୍ରାପଡା ପୋଲିସ । ଗିରଫଙ୍କ ମଧ୍ୟରେ ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ସୁଜିତ ବିଶ୍ବାଳ ରହିଛନ୍ତି। ସୁଜିତଙ୍କ ବିଶ୍ବାଳଙ୍କ ଗିରଫ ଖବର ଶୁଣିବା ପରେ ତାଙ୍କ ମା’ ଅର୍ଣ୍ଣପୂର୍ଣ୍ଣା ହଠାତ ଛାତିରେ କଷ୍ଟ ଅନୁଭବ କରି ଅଚେତ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାର କରାଯାଇଥିଲା । ସେଠାରେ ଅର୍ଣ୍ଣପୂର୍ଣ୍ଣାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିଥିଲେ । ଏହି ଘଟଣା ଜଣାପଡିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବାପା, ମା’ଙ୍କ ଏକ ମାତ୍ର ପୁଅ ସୁଜିତ ହୋଇ ଥିବାରୁ ମା’ ଙ୍କର ଶବ ସତ୍କାର କାର୍ୟ୍ୟରେ ଯୋଗ ଦେବା ପାଇଁ ପରିବାର ତରଫରୁ ପୋଲିସ ନିକଟରେ ଅନୁରୋଧ କରାଯାଇଛି।






