ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଅଙ୍ଗ ଦାନ ମହତ ଦାନ । ମୃତ୍ୟୁ ପରେ ବି ଅନ୍ୟମାନଙ୍କ ଜୀବନ ବଞ୍ଚାଇ ଦେଲେ ଦିଲ୍ଲୀର ଜଣେ ମହିଳା । ଚିକିତ୍ସା ବେଳେ ୪୩ ବର୍ଷୀୟା ଏହି ମହିଳାଙ୍କ ବ୍ରେନ ଡେଡ ହୋଇଯାଇଥିଲା । ପରିବାର ଲୋକ ମୃତ୍ୟୁ ଦୁଃଖ ଭୁଲି ଅଙ୍ଗଦାନ କରିବାର କଠିନ ନିଷ୍ପତ୍ତି ନେଇ ଥିଲେ । ଯାହାଫଳରେ ୫ଜଣଙ୍କ ଜୀବନ ବଞ୍ଚି ଯାଇଛି । ମହିଳାଙ୍କ ବ୍ରେନ ଡେଡ ପରେ ତାଙ୍କ ହାର୍ଟକୁ ଏମ୍ସରେ ଜଣେ ରୋଗୀଙ୍କୁ ଲଗଯାଇଛି । ତାଙ୍କ ଲିଭର ଓ ଗୋଟେ କିଡ଼ନୀ ଗଙ୍ଗାରାମ ହସ୍ପିଟାଲର ଦୁଇଟି ଅଲଗା ଅଲଗା ରୋଗୀଙ୍କୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଗୋଟିଏ କିଡ଼ନୀ ଅନ୍ୟ ଏକ ପ୍ରାଇଭେଟ ହସ୍ପିଟାଲକୁ ଦିଆ ଯାଇଛି । ପ୍ରବଳ ମୁଣ୍ଡ ବିନ୍ଧା ଓ ବାନ୍ତି କାରଣରୁ ଗତ ୨୦ ତାରିଖରେ ମହିଳା ଜଣକ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚି ଥିଲେ । ତାଙ୍କୁ କରୋନା ହୋଇ ନଥିଲା । ଟେଷ୍ଟିଙ୍ଗ ପରେ ଜଣା ପଡିଥିଲା ତାଙ୍କର ସିଭିଅର ବ୍ରେନ ହାମରେଜ ହୋଇଛି । ଚିକିତ୍ସା ବେଳେ ମହିଳାଙ୍କ ବ୍ରେନ ଡେଡ ହୋଇ ଯାଇଥିଲା । ତାଙ୍କର ସ୍ୱାମୀ ଓ ୨୧ ବର୍ଷର ଝିଅ ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ ।






