କାନପୁର, (ବାଘୁଆବାର୍ତ୍ତା): କାନପୁରର ବିଲହୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଧବାର ଦିନ ଏହି ଅଭାବନୀୟ ଘଟଣାଟି ଘଟିଛି। ପଡ଼ିଆରେ କ୍ରିକେଟ୍ ଖେଳୁଥିବା ବେଳେ ଜଣେ ୧୬ ବର୍ଷିୟ ପିଲାର ଜୀବନ ଚାଲିଯାଇଛି। ପିଲାଟିର ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ରିପୋର୍ଟରେ କୁହାଯାଇଛି। ସୂଚନା ଆଧାରରେ , ବଳରାମ ନଗର ନିବାସୀ ଅନୁଜଙ୍କ ପୁଅ ଅମିତ ସାଥିମାନଙ୍କ ସହ ବିଆଇସି ଗ୍ରାଉଣ୍ଡରେ କ୍ରିକେଟ୍ ଖେଳୁଥିଲେ। ସେ ୨୧ ରନ୍ର ସ୍କୋର କରି ଖେଳୁଥିଲେ। ଏତିକି ବେଳେ ସେ ଏକ ସଟ୍ ମାରିଲେ, ଆଉ ୨୨ତମ ରନ୍ ପାଇଁ ରନିଂ କରିଥିଲେ। ଏହି ସମୟରେ ପିଚ୍ରେ ଖସି ପଡ଼ିଥିଲେ। ଏହି ଘଟଣାରେ ମୈଦାନରେ ଆତଙ୍କ ଖେଳି ଯାଇଛି। ଲୋକେ ତାଙ୍କ ପାଖରେ ଦୌଡ଼ି ପହଞ୍ଚିବା ପୂର୍ବରୁ ସେ ବେହୋସ ହୋଇ ସାରିଥିଲେ। ତାଙ୍କ ସାଥିମାନେ ତାଙ୍କର ଛାତିକୁ ଦବାଇ ଥିଲେ। ଶରୀରରେ କୌଣସି ପ୍ରତିକ୍ରିୟା ନଦେଖି ସମସ୍ତେ ଏହାକୁ ନେଇ ବିଲହୌର ସିଏଚସିରେ ପହଞ୍ଚି ଥିଲେ । ଏହି ସମୟରେ ଅମିତଙ୍କ ଘରଲୋକଙ୍କୁ ସୂଚନା ମିଳିଲା । ସମସ୍ତେ ସେଠାରେ ପହଞ୍ଚିଲେ ଏବଂ ତାଙ୍କୁ ହସ୍ପିଟାଲ ନେଇ ଗଲେ । ଡାକ୍ତର ଗଣେଷ ଓ ଡାକ୍ତର ଅଭିଷେକ ସିଂହ ତାଙ୍କୁ ପରୀକ୍ଷା କରି ମୃତ ଘୋଷିତ କରିଥିଲେ । ପିଲାଟିର ଓଠ ନୀଳ ପଡ଼ି ଯାଇଥିଲା ଏବଂ ପଲ୍ସ ବି ଯାଇ ସାରିଥିଲା। ଦେଖିବାରେ ଲାଗୁଥିଲା କି ତାଙ୍କର କାର୍ଡିଆକ ଆରେଷ୍ଟ ହୋଇଛି ।






