ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ଗ୍ରହରାଜ’ର ସଂମ୍ପାଦକ ହରିହର ମହାପାତ୍ରଙ୍କ ଗତକାଲି ସଂନ୍ଧ୍ୟାରେ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଏହି ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏକ ଶୋକସଭାରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ସହ ଜିଲ୍ଲା ସାମ୍ବାଦିକମାନେ ଶୋକ ବ୍ୟକ୍ତ କରିଛନ୍ତି । ରାମକୃଷ୍ଣ ରଥ, ସଂଜୟ କୁମାର ସ୍ୱାଇଁ, ଆଇନଜିବୀ ରଣଜିତ ଦାଶ, ଗୋକୁଳ ଷଡ଼ଙ୍ଗୀ, ଲୋକନାଥ ମିଶ୍ର ପ୍ରମୂଖ ଉପସ୍ଥିତ ହୋଇ ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ଉକ୍ତ ସଭାରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଛି । ନୟାଗଡ଼ ସହରରେ ଖବରକାଗଜ ସଂସ୍ଥା ସ୍ଥାପନ କରି ସେ ଲୋକ ଲୋଚନକୁ ଆସିଥିବା ବେଳେ ଜଣେ ନିର୍ଭିକ ତଥା କତ୍ତବ୍ୟନିଷ୍ଠ ଓ ଆଦର୍ଶ ସଂପାଦକ ଭାବେ ସେ ଜଣାଶୁଣା ଥିଲେ । ଏଥିସହିତ ଜଣେ ଶିକ୍ଷାବିତ୍ ଏବଂ ସମାଜସେବୀ ଭାବରେ ସେ ନିଜର ପ୍ରତିଷ୍ଠା ଲାଭ କରିବା ସହ ଦଶପଲ୍ଲା ଅଂଚଳରେ ଆଦିବାସୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଟାକେରା ସ୍ଥିତ ମଣିନାଗ ବହୁମୂଖୀ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ଚର୍ଚ୍ଚାକୁ ଆସିଥିଲେ । ଏଥିସହିତ ସେ ଜଣେ ବିଚକ୍ଷଣ ରାଜନେତା ଭାବେ ପରିଚୟ ଲାଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା ପ୍ରତିଷ୍ଠାତା ସଦସ୍ୟ ଭାବେ ପରିଚୟ ଲାଭ କରିଥିଲେ । ଜଣେ ବ୍ୟଙ୍ଗ କବି ଭାବରେ ତାଙ୍କର ଅନ୍ୟ ଏକ ସୁପରିଚିତି ରହିଥିବା ବେଳେ ନବଘନପୁର ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ବଣିକ ସଂଘ ଗଠନରେ ତାଙ୍କର ବଳିଷ୍ଠ ଉଦ୍ୟମ ରହିଥିବା ଜଣାଯାଇଛି ।






